କଟକ ଏସସିବି ମେଡିକାଲରେ ଇକମୋ ଚିକିତ୍ସା ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର :  ଆଜି କଟକର ଏସସିବି ମେଡିକାଲରେ ଇକମୋ ୟୁନିଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କଟକ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଛନ୍ତି । ବୋସ ଅସ୍ଥାୟୀ ହ୍ୟାଲିପେଡ୍‌ରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଏସ୍‌ସିବି ଅଭିମୁଖେ ଯାଇ ଏକମୋ ୟୁନିଟର ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକ୍‌ମୋ ଚିକିତ୍ସା ଖୁବ୍ ବ୍ୟୟବହୁଳ । ତେଣୁ ରାଜ୍ୟ ସରକାର ଏହି ସେବା ମାଗଣାରେ ଲୋକଙ୍କୁ ଯୋଗାଇଦେବେ । କରୋନାର ଦ୍ୱିତୀୟ ଲହର ବହୁ କଷ୍ଟଦାୟକ ଥିଲା । ତେବେ ଲକଡାଉନ କଟକଣା କୋହଳ ହୋଇଥିଲେ ମଧ୍ୟ ବିପଦ ବର୍ତ୍ତମାନ ସୁଦ୍ଧା ଟଳି ନାହିଁ । ଏହି ଅବସରରେ ଆଗକୁ ଆସୁଥିବା ତୃତୀୟ ଲହର ମୁକାବିଲା ପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ତୃତୀୟ ଲହରରେ ଶିଶୁ ମନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଥିବାରୁ ପିଲାଙ୍କ ସୁରକ୍ଷା ପାଇଁ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ମଧ୍ୟ ନିବେଦନ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ଏସସିବିରେ ୯ଟି ଇକମୋ ମେସିନ୍ ଏସସିବିରେ ଇନଷ୍ଟଲେସନ୍ ହୋଇଛି। ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ । ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀ ମଧ୍ୟ ଏଥିପାଇଁ ତାଲିମ୍ ନେଇ ସାରିଛନ୍ତି। ପୂର୍ବରୁ ଏକମୋ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି କଟକ ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ୧୫ ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିଲା। ବୋଷ ଅସ୍ଥାୟୀ ହେଲିପ୍ୟାଡରୁ ତାଳଦଣ୍ଡା କେନାଲ ଦେଇ ଏସସିବି ମେଡିକାଲ ଅଭିମୁଖେ ଆସିଛନ୍ତି ନବୀନ ପଟ୍ଟନାୟକ। ଏହାସହ ତାଳଦଣ୍ଡା କେନାଲ ଦେଇ ଆସୁଥିବାବେଳେ କେନାଲର ନୂତନ ବ୍ରିଜ ପାଖରେ ଅଟକି ଏହାର ଦୃଶ୍ୟ ଦେଖିଥିଲେ ମୁଖ୍ୟମନ୍ତ୍ରୀ।

Related Posts