ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଅର୍ଥାତ୍ ଆଜି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା କରିବେ। ଏହି ସମୀକ୍ଷା ବୈଠକରେ ବହୁ ବରିଷ୍ଠ ପଦାଧିକାରୀ ଯୋଗଦେବେ। ସୂଚନା ଅନୁସାରେ ବନ୍ୟାରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲା ଅଧିକ ପ୍ରଭାବିତ ହେବ।ପୁରୀ ଜିଲାର ଭାର୍ଗବୀ, ଲୁଣା, ଦୟା ଓ ଦେବୀ ନଦୀରେ ବନ୍ୟା ଆଶଙ୍କା ରହିଛି। ଏହାକୁ ନଜରରେ ରଖି ପ୍ରଶାସନ କ’ଣ ପଦକ୍ଷେପ ଗ୍ରହଣ କରିଛି, ରିଲିଫ କାର୍ଯ୍ୟ ଆଦି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା ହେବ।
ସୂଚନା ଅନୁସାରେ ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଆଶଙ୍କା ଥିବା ବନ୍ୟା ସ୍ଥିତିର ସଫଳ ପରିଚାଳନା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପୂର୍ବରୁ ଗତକାଲି ମୁଖ୍ୟ ଶାସନ ସଚିବ ମଧ୍ୟ ବନ୍ୟା ପରିସ୍ଥିତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ।
