ବିଧାୟକଙ୍କ କଥା ଶୁଣୁନାହାନ୍ତି କମିଶନର: ଅଫିସର ରାଜ୍ ର ପୋଲ ଖୋଲିଲେ ପ୍ରଭାତ୍ର ବିଶ୍ବାଳ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ଵର : ଓଡିଶାରେ ଅଫିସର୍ ରାଜ୍ ର ପୋଲ୍ ଖୋଲିଛନ୍ତି ଖୋଦ୍ ବିଜେଡି ବିଧାୟକ ଓ ନେତା। କମିଶନର ପୁଣି ଶାସକ ଦଳର ବିଧାୟକଙ୍କ କଥା ଶୁଣୁ ନାହାନ୍ତି। ଗରିବ ଲୋକଙ୍କ ବସ୍ତି ଭାଙ୍ଗିବା ପାଇଁ ୧୫ ଦିନ ସମୟ ମାଗିଲେ , ଆରିଡିସିଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ କହିଲେ। କିନ୍ତୁ ସେ ଗରିବ ଲୋକଙ୍କୁ ହଟାଇ ଦେଲେ । ଆଉ ଗତକାଲି ରାତିର କାଳବୈଶାଖୀ ବର୍ଷା ପରେ ସେମାନଙ୍କ ଦୁର୍ଦ୍ଦଶା କହିଲେ ନ ସରେ। ବସ୍ତି ବାସିନ୍ଦାଙ୍କ ଦୁଃଖ ଓ ଯନ୍ତ୍ରଣାକୁ ଏଭଳି ଢ଼ଙ୍ଗରେ କଟକ ଜିଲ୍ଲାପାଳଙ୍କ ନିକଟରେ କହିଛନ୍ତି ଶାସକ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କଟକ ଚୌଦ୍ଵାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ସୂଚନା ଅନୁସାରେ, ଗତକାଲି କାଳବୈଶାଖୀ ବର୍ଷାରେ କଟକ ନୂଆପଡ଼ାସ୍ଥିତ ବାଲିସାହିର ବସ୍ତିବାସିନ୍ଦାଙ୍କ ଘରେ ପାଣି ପଶି ଯାଇଥିଲା। ଆଉ ସେମାନେ ମୁଣ୍ଡ ଗୁଞ୍ଜିବାକୁ ଜାଗାଟିକେ ନପାଇ ରାତି ତମାମ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ। ଏହି ଘଟଣାକୁ ନେଇ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପୁଅ ତଥା ବର୍ତ୍ତମାନର ବିଧାୟକ ସୌଭିକ ବିଶ୍ୱାଳ ମଙ୍ଗଳବାର ସିଏମସି କମିଶନରଙ୍କ କାର୍ଯ୍ଯକୁ
ଖୋଲାଖୋଲି ବିରୋଧ କରିଛନ୍ତି। ଉଭୟ ବିଧାୟକ ସୌଭିକ୍ ବିଶ୍ୱାଳ ଓ ତାଙ୍କ ପିତାଳ ପ୍ରଭାତ ବିଶ୍ୱାଳ ନୂଆପଡ଼ାର ବାଲିସାହି ବସ୍ତି ନିକଟରୁ ବସ୍ତିବାସିନ୍ଦାଙ୍କୁ ନେଇ ଚାଲିଚାଲି ଜିଲ୍ଲାପାଳଙ୍କ ଅଫିସ୍ କୁ ଯାଇଥିଲେ। ସେମାନେ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ ମଧ୍ୟ ସିଏମସି କମିଶନର ଅନନ୍ୟା ଦାସ ସେଠାକୁ ଆସିନଥିଲେ। ଏମିତି କି ଫୋନ୍ କରି ଡାକିବାରୁ ଆସିପାରିବେ ନାହିଁ ବୋଲି ମନା କରିଦେଇଥିଲେ। ବସ୍ତି ବାସିନ୍ଦାଙ୍କ ଦାବିକୁ ନେଇ ସିଏମସି କମିଶନରଙ୍କୁ କଡା ଭର୍ତ୍ସନା କରୁଥିବାର ଏକ ଭିଡିଓ ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବିଜେଡି ନେତା ପ୍ରଭାତ ବିଶ୍ୱାଳ କହୁଛନ୍ତି ଯେ , ” ସେମାନଙ୍କୁ ଲୋକେ ଭୋଟ ଦେଇ ନିର୍ବାଚିତ କରାଉଛନ୍ତି କିନ୍ତୁ ତାଙ୍କ କଥା କମିଶନର ମାଡାମ୍ ଶୁଣୁ ନାହାଁନ୍ତି। ନିର୍ବାଚନ ମଣ୍ଡଳୀରେ ମନଇଚ୍ଛା ସବୁ କରୁଛନ୍ତି। ସେଠାକାର ବିଧାୟକଙ୍କୁ ବି ପଚାରୁ ନାହାନ୍ତି ।” ସେ ଆହୁରି ମଧ୍ୟ କହିଛନ୍ତି ଯେ , ” ବହୁତ ହୋଇଗଲାଣି। ସେ ନିଜକୁ କ’ଣ ବୋଲି ଭାବୁଛନ୍ତି । ଏମ୍ଏଲ୍ଏ କଣ ତାଙ୍କ ଅଣ୍ଡରରରେ ଚାକିରୀ କରିଛନ୍ତି। ” ତେବେ ଲକଡାଉନ୍ ବେଳେ ଗରିବ ବସ୍ତି ବାସିନ୍ଦାଙ୍କ ଉପରେ ସିଏମସି କମିଶନରଙ୍କ ଏଭଳି ଜୁଲୁମ୍ ହେବାକୁ ଦିଆଯିବ ନାହିଁ ବୋଲି ବିଜେଡି ନେତା ଚେତାବନୀ ଦେଇଛନ୍ତି।

Related Posts