ଆଜିଠୁ ବର୍ମିଂହାମରେ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା; ଉଦ୍‌ଘାଟନୀ ଉତ୍ସବରେ ତ୍ରିରଙ୍ଗା ଧରି ପ୍ରତିନିଧିତ୍ଵ କରିବେ ପିଭି ସିନ୍ଧୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଠାରୁ ଇଂଲଣ୍ଡର ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଛି ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ୭୨ଟି ରାଜ୍ୟଗୋଷ୍ଠୀ ଦେଶରୁ ୫,୦୫୪ ଜଣ କ୍ରୀଡ଼ାବିତ କ୍ରୀଡ଼ାରେ ଭାଗ ନେଇଛନ୍ତି । ୨୦ଟି କ୍ରୀଡ଼ାର ମୋଟ୍‌ ୨୮୦ଟି ଇଭେଣ୍ଟରେ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ । ତେବେ ଏହି ଥରକୁ ମିଶାଇ ଭାରତ ମୋଟ୍‌ ୧୮ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଛି ।

୧୯୩୦ରୁ ଏହି କ୍ରୀଡ଼ା ଆରମ୍ଭ ହୋଇଥିଲା । ୧୯୩୪ରୁ ଭାରତ କ୍ରୀଡ଼ାରେ ଭାଗ ନେଇ ଆସୁଥିଲେ ମଧ୍ୟ ୧୯୫୦, ୧୯୬୨ ଓ ୧୯୮୬ କ୍ରୀଡ଼ାରୁ ଓହରି ଯାଇଥିଲା । ବର୍ମିଂହାମ କ୍ରୀଡ଼ାରେ ୨୧୫ ଜଣିଆ ଭାରତୀୟ ଦଳ ଭାଗ ନେଉଛି । ଏଥିରେ ୧୧୧ ପୁରୁଷ ଓ ୧୦୪ ମହିଳା ରହିଛନ୍ତି । ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଆହତ ହୋଇଥିବାରୁ କ୍ରୀଡ଼ାରୁ ଦୂରେଇ ରହିଛନ୍ତି । ତାଙ୍କ ସ୍ଥାନରେ ଅଲିମ୍ପିଆନ ପିଭି ସିନ୍ଧୁ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ୱ ନେଇ ତ୍ରିରଙ୍ଗା ଧାରଣ କରିବେ । କ୍ରୀଡ଼ା ଗୁରୁବାର ଠାରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଉଦ୍‌ଯାପିତ ହେବ । ଗତ ୨୦୧୮ରେ ସଂସ୍କରଣରେ ଭାରତ ୨୬ଟି ସ୍ୱର୍ଣ୍ଣ ପଦକ ସହ ମୋଟ୍‌ ୬୬ଟି ପଦକ ଜିତିଥିଲା।

Related Posts