ସିଦ୍ଧୁଙ୍କ ଆଉ ଏକ କୀର୍ତ୍ତୀମାନ; ସ୍ୱିସ ଓପନ ଟାଇଟଲ ଜିତିଲେ ପିଭି ସିଦ୍ଧୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସିଦ୍ଧୁଙ୍କ ଆଉ ଏକ କୀର୍ତ୍ତୀମାନ । ସେ ସ୍ୱିସ୍ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସ ଟାଇଟଲ୍ ହାତେଇଛନ୍ତି। ଥାଇଲ୍ୟାଣ୍ଡର ବୁସାନନଙ୍କୁ ସିନ୍ଧୁ ସିଧାସଳଖ ୨୧-୧୬ ଓ ୨୧-୮ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଚଳିତ ବର୍ଷ ସିନ୍ଧୁଙ୍କର ଏହା ଦ୍ୱିତୀୟ ଟାଇଟଲ। ସେ ଜାନୁଆରୀ ମାସରେ ସୟଦ ମୋଦି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଥିଲେ। ଆଜିର ମ୍ୟାଚ କଥା ବିଚାରକୁ ନେଲେ ଅଲିମ୍ପିକ୍ସରେ ୨ଟି ମେଡାଲ ଜିତିଥିବା ସିନ୍ଧୁ ଆରମ୍ଭରୁ ନିଜର କ୍ଲାସ ଦେଖାଇଥିଲେ। ବୁସାନନ ବିଶ୍ୱର ୧୧ତମ ସିଡ୍। ତେଣୁ ସିନ୍ଧୁ ତାଙ୍କୁ ବେଶ ସହଜରେ ହରାଇ ଦେବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ପ୍ରଥମ ସେଟରେ ବୁସାନନ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତଥାପି ଏହି ସେଟକୁ ସିନ୍ଧୁ ୨୧-୧୬ରେ ଜିତି ନେଇଥିଲେ। ଦ୍ୱିତୀୟ ସେଟ୍ ସଂପୂର୍ଣ୍ଣ ଏକପାଖିଆ ରହିଥିଲା।

ଏହି ସେଟରେ ବୁସାନନ କେବଳ ୮ ପଏଣ୍ଟ ସ୍କୋର କରିବାକୁ ସକ୍ଷମ ହୋଇଥିଲେ। ମାତ୍ର ୪୯ ମିନିଟ୍ ମଧ୍ୟରେ ମ୍ୟାଚ୍ ଶେଷ କରି ସିନ୍ଧୁ ସ୍ୱିସ ଓପନ ୨୦୨୨ ଟାଇଟଲ ନିଜ ନାଁରେ କରିଛନ୍ତି। ସିନ୍ଧୁ ଓ ବୁସାନନଙ୍କ ମଧ୍ୟରେ ଏହା ୧୭ତମ ମୁକାବିଲା ଥିଲା। ୧୭ଟି ମ୍ୟାଚ୍ ମଧ୍ୟରୁ ସିନ୍ଧୁ ୧୬ଥର ଜିତିଛନ୍ତି। ୨୦୧୯ ହଂକଂ ଓପନରେ ଗୋଟିଏଥର ବୁସାନନ ଜିତିଥିଲେ। ସ୍ୱିସ ଓପନର ଗତ ସଂସ୍କରଣରେ ମଧ୍ୟ ସିନ୍ଧୁ ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ଫାଇନାଲ ମୁକାବିଲାରେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦ ବିଜେତା କାରୋଲିନା ମାରିନଙ୍କ ଠାରୁ ହାରିବାକୁ ପଡ଼ିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ଏହା ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts