ଲକଡାଉନ୍ ରାଜ୍ୟମାନଙ୍କର ଗରିବ ଲୋକଙ୍କୁ ମାସିକ ୬ ହଜାର ଟଙ୍କା ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା କଂଗ୍ରେସ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ କରୋନାର ଦ୍ବିତୀୟ ଲହର ରୋକିବା ପାଇଁ ଅନେକ ରାଜ୍ୟ ଲକଡାଉନ୍ ର ସାହାରା ନେଉଛନ୍ତି। ଲକଡାଉନ୍ ଲାଗିଥିବା ରାଜ୍ୟ ଗୁଡ଼ିକରେ ଗରିବ ଲୋକଙ୍କୁ ମାସିକ ୬ ହଜାର ଟଙ୍କା ଦେବାକୁ ଦାବି କରିଛି କଂଗ୍ରେସ। ଲୋକସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଲକଡାଉନ୍ ଲାଗିଥିବା ରାଜ୍ୟମାନଙ୍କରେ ଗରିବ ଲୋକଙ୍କୁ ମାସିକ ୬ ହଜାର ଟଙ୍କା ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ତେବେ ଏହା ଦ୍ଵାରା ଲକ୍ଷ ଲକ୍ଷ ଗରିବ ଜନତାଙ୍କ ଦୁଃଖ ଦୂର ହେବା ସଙ୍ଗେ ସଙ୍ଗେ ଅର୍ଥନୀତି ଉପରେ ପ୍ରଭାବ ପକାଇବ। କରୋନା ମହାମାରୀର ଭୟାବହତା ଏବଂ ଲକଡାଉନ୍ ଯୋଗୁଁ ଅନେକ ଲୋକ ବେରୋଜଗାର ହୋଇଯାଇଛନ୍ତି। ଏହାଦ୍ୱାରା ସେମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବା ସଙ୍ଗେ ସଙ୍ଗେ ପରିବାରର ଚଳାଇବାରେ ଅସୁବିଧା ହେଉଥିବା ନେଇ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଲକଡାଉନ୍ ହେତୁ ଅନେକ ଲୋକ ଖାଇବାକୁ ପାଉନଥିବା ବେଳେ ସେମାନେ ଦୟନୀୟ ,ପରିତ୍ୟକ୍ତ ଅଵସ୍ଥାରେ ଥିବା ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି , “କଂଗ୍ରେସ ସଭାପତି ପରାମର୍ଶ ଦେଇଛନ୍ତି ଯେ କେନ୍ଦ୍ର ସରକାର ଅସହାୟ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇଦେବା ସଙ୍ଗେ ସଙ୍ଗେ ରୋଜଗାର ହରାଇଥିବା ସମସ୍ତ ଗରିବ ଲୋକଙ୍କୁ ମାସକୁ 6000 ଟଙ୍କା ଦିଆଯାଉ ।  ମହାମାରୀ ଯୋଗୁଁ ଗରିବ ଏବଂ ନିମ୍ନ ବର୍ଗର ଲୋକଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି, ମୁଁ ଅନୁରୋଧ କରୁଛି ଯେ ଅନ୍ତତଃପକ୍ଷେ ଆପଣ ପଛେ ଏହାର ଶୁଭାରମ୍ଭ କରନ୍ତୁ କିନ୍ତୁ କଂଗ୍ରେସ ସଭାପତିଙ୍କ ପରାମର୍ଶକୁ ଗ୍ରହଣ କରି  ସମସ୍ତ ଯୋଗ୍ୟ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତି ମାସରେ 6000 ଟଙ୍କା ନଗଦ ପଠାଯାଉ।” ଗତ ସପ୍ତାହରେ CWC ବୈଠକରେ ମହାମାରୀ ପରିଚାଳନା ବିଫଳତାକୁ ନେଇ ମୋଦୀ ସରକାରଙ୍କୁ କଡା ଭର୍ତ୍ସନା କରିଥିଲେ। 

Related Posts