ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକାକୀ ଲଢିବ କଂଗ୍ରେସ’ : ନାନା ପଟୋଲେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ରରେ ଦିନକୁ ଦିନ ରାଜନୈତିକ ଗତିବିଧି ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକାନ୍ତରେ ବୈଠକ। ଏହା ପରେ ଏନସିପି ସୁପ୍ରିମୋ ଶରଦ ପାୱାର ଓ ପ୍ରଶାନ୍ତ କିଶୋରଙ୍କ ସାକ୍ଷାତକାର ଏବଂ ସଞ୍ଜୟ ରାଉତଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା ବୟାନକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ଏହା ମଧ୍ୟରେ କଂଗ୍ରେସ ଘୋଷଣା କରିଛି ଯେ ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବ। ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲ ଏହି ଘୋଷଣା କରିଛନ୍ତି। ଯଦି ଦଳର ହାଇକମାଣ୍ଡ ଚାହାଁନ୍ତି ତେବେ ଆଗାମୀ ନିର୍ବାଚନରେ ସେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିବାକୁ ଇଚ୍ଛୁକ ଅଛନ୍ତି ବୋଲି ସେ କହିଛନ୍ତି। କଂଗ୍ରେସ ବର୍ତ୍ତମାନ ମହାରାଷ୍ଟ୍ର ଗଠବନ୍ଧନ ସରକାରର ଏକ ଅଂଶ। ୨୦୧୯ ବିଧାନସଭା ନିର୍ବାଚନ ପରେ ଏନସିପି, ଶିବସେନା ଏବଂ କଂଗ୍ରେସ ମଧ୍ୟରେ ମହା ବିକାଶ ଅଘାଡୀ ମେଣ୍ଟ ସରକାର ଏବେ ମହାରାଷ୍ଟ୍ରରେ ଶାସନ କରୁଛି। ତେବେ ପାଟୋଲେଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ମେଣ୍ଟ ସରକାରର ଭବିଷ୍ୟତକୁ ନେଇ କେବଳ କଂଗ୍ରେସ ନୁହେଁ ବରଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନସିପି ମଧ୍ୟ ବୟାନ ଦେଇଛି । ଏନସିପି ନେତା ନଓ୍ବାବ୍‌ ମଲିକ କହିଛନ୍ତି ଯେ ମହାରାଷ୍ଟ୍ରରେ ଥିବା ମେଣ୍ଟ ସରକାର ତାର ପୂରା କାର୍ଯ୍ୟକାଳ ପୂରଣ କରିବାରେ ସକ୍ଷମ ହେବ କିନ୍ତୁ ଆଗାମୀ ନିର୍ବାଚନରେ ୩ ଦଳ ଏକାଠୀ ନିର୍ବାଚନ ଲଢିବ କି ନାହିଁ ତାହା ସ୍ପଷ୍ଟ ଭାବେ କହିହେବ ନାହିଁ ବୋଲି ସେ କହିଛନ୍ତି।

Related Posts