ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଦୁର୍ନୀତି ମାମଲା : ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ଦାବି କଲା କଂଗ୍ରେସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଉପରେ ଜମି କିଣା ଦୁର୍ନୀତି ଅଭିଯୋଗ ଆସିବା ପରେ ଏବେ ଏହାକୁ ନେଇ ରାଜନୀତି ଜୋର ଧରିଛି । ବିଭିନ୍ନ ରାଜନୈତିକ ଦଳ ଏ ସମ୍ପର୍କରେ ସିଵିଆଇ ଓ ଇଡି ଯାଞ୍ଚ ଦାବି କରିଥିବା ବେଳେ ଆଜି କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟଙ୍କ ତତ୍ବାବଧାନରେ ତଦନ୍ତ ଦାବି କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା କହିଛନ୍ତି ରାମ ମନ୍ଦିର ନିର୍ମାଣ ପଛରେ କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ବାସ ରହିଛି। ଯେହେତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହି ଟ୍ରଷ୍ଟ ଗଠନ କରାଯାଇଛି ତେଣୁ କୋର୍ଟ ଏହି ଘଟଣାର ସଂଜ୍ଞାନ ନେଇ ଘଟଣାର ତଦନ୍ତ କରିବା ଉଚିତ। ସେ କହିଛନ୍ତି ଯେ କୋର୍ଟ ସମସ୍ତ ଆକାଉଣ୍ଟକୁ ଅଡିଟ୍ କରିବା ସହ ଜମି କିଣା ସହ ଜଡିତ ସମସ୍ତ ଦଲିଲକୁ ସାର୍ବଜନୀନ କରିବା ଉଚିତ୍। କୋଟି କୋଟି ରାମ ଭକ୍ତ ମାନଙ୍କର ଆସ୍ଥା ରହିଥିବା ହେତୁ ନିର୍ମାଣ କାର୍ଯ୍ୟ ବନ୍ଦ ନକରିବା ପାଇଁ କଂଗ୍ରେସ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟ୍ବିଟ୍ କରି ଘଟଣାର ତଦନ୍ତ ଦାବି କରିଛନ୍ତି। ସୂଚନାଯୋଗ୍ୟ, ରବିବାର ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଉପରେ ଗମ୍ଭୀର ଅଭିଯୋଗ ଆଣିବା ସହ ମାମଲାର ଯାଞ୍ଚ ସିବିଆଇ ଏବଂ ଇଡି କରିବା ଦରକାର ବୋଲି ଦାବି କରିଥିଲେ। ଗତକାଲି ସମାଜବାଦୀ ପାର୍ଟି ନେତା ପୱନ ପାଣ୍ଡେ ଟ୍ରଷ୍ଟ ଦ୍ବାରା ଜମି ଦୁର୍ନୀତି ଅଭିଯୋଗ କରିଥିଲେ। ସେ , ” ୧୮ ମାର୍ଚ୍ଚ ୨୦୨୧ ସଂନ୍ଧ୍ଯା ୭.୦୫ ମିନିଟ୍ ରେ ସୁଲତାନ ଅନସାରୀ ଓ ରବି ମୋହନ ତିୱାରୀଙ୍କ ନାମରେ ଏହି ଜମିକୁ କିଣାଯାଇଥିଲା। ଏହାର ଠିକ୍ ୧୧ ମିନିଟ୍ ପରେ ୭.୧୬ ମିନିଟ୍ ରେ ରାମ ଜନ୍ମ ଭୂମି ଟ୍ରଷ୍ଟ ସାଢେ ୧୮ କୋଟି ଟଙ୍କାରେ ଏହାକୁ କିଣିଛି। RTGS ୧୭ କୋଟି ଟଙ୍କା କରିଛି। ମାତ୍ର କିଛି ମିନିଟ୍ ମଧ୍ୟରେ ୨ କୋଟି ଟଙ୍କାରେ କିଣାଯାଇଥିବା ଜମି ହଠାତ୍ କେଉଁ ସୁନା ଦେବା ଆରମ୍ଭ କଲା ଯେ କିଛି ମିନିଟ୍ ପରେ ଦୁଇ କୋଟି ଟଙ୍କା ମୂଲ୍ୟର ଜମି ସାଢେ ଅଠର କୋଟିରେ କିଣାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏବଂ ତାଙ୍କ ପାଖରେ ସମସ୍ତ ଡକ୍ୟୁମେଣ୍ଟ୍ ଅଛି ବୋଲି ସେ କହିଛନ୍ତି। ” ସେହିପରି ଆମ୍ ଆଦମୀ ପାର୍ଟି ସାସଂଦ ସଞ୍ଜୟ ସିଂ ଅଭିଯୋଗ କରିଥିଲେ ଯେ, ” ଅଯୋଧ୍ୟାରେ ଗାଟା ନମ୍ବର ୨୪୩,୨୪୪,୨୪୬ ଜମି ଯାହାର ମୂଲ୍ୟ ପାଞ୍ଚ କୋଟି ଅଶୀ ଲକ୍ଷ ଟଙ୍କା , ସେହି ଜମିକୁ କୁସୁମ ପଠାକଙ୍କ ଏବଂ ହରିଶ ପଠକଙ୍କ ଠାରୁ ସୁଲତାନ ଅନସାରୀ ଏବଂ ରବି ମୋହନ ତିୱାରୀ ଦୁଇ କୋଟି ଟଙ୍କାରେ କିଣିଥିଲେ। ଏହି ଜମି କିଣାରେ ଦୁଇଜଣ ସାକ୍ଷୀ ଥିଲେ, ଜଣେ ଅନିଲ ମିଶ୍ର ଏବଂ ଅନ୍ୟ ଜଣେ ସାକ୍ଷୀ ଋଷିକେଶ ଉପାଧ୍ୟାୟ ଯିଏ ଅଯୋଧ୍ୟାର ମେୟର। ପାଞ୍ଚ ମିନିଟ୍ ପରେ, ଏହି ଜମିକୁ ୧୮ କୋଟି ଟଙ୍କାରେ ରାମଜନ୍ମ ଭୂମି ଟ୍ରଷ୍ଟ କିଣିଛି। ୧୭ କୋଟି ଟଙ୍କା RTGS କରାଯାଇଛି। ଜମିର ମୂଲ୍ୟ ପ୍ରତି ସେକେଣ୍ଡରେ ପ୍ରାୟ ସାଢେ ପାଞ୍ଚ ଲକ୍ଷ ଟଙ୍କା ବୃଦ୍ଧି ପାଇଛି। ସେ ଅଭିଯୋଗ କରିଛନ୍ତି ଯେ ଭଗବାନ ଶ୍ରୀ ରାମଙ୍କ ନାଁରେ ଜମିର ମୂଲ୍ୟ ଯେଉଁ ବେଗରେ ବଢିଛି ତାହା ଏକ ସ୍ବତନ୍ତ୍ର ରେକର୍ଡ । ସୁଲତାନ ଏବଂ ରବି ମୋହନ ତିୱାରୀ ଏହି ଜମି କିଣିଥିବା ସମୟରେ ଅନିଲ ମିଶ୍ର ଏବଂ ଋଷିକେଶ ତିୱାରୀ ସାକ୍ଷୀ ଥିଲେ ଏବଂ ସମେନେ ମଧ୍ୟ ସୁଲତାନ ଏବଂ ରବି ମୋହନ ତିୱାରୀଙ୍କ ଠାରୁ ଟ୍ରଷ୍ଟ କିଣିବା ସମୟରେ ସାକ୍ଷୀ ଥିଲେ। ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ଦାନ ଦେଇଥିବା କୋଟି କୋଟି ଭକ୍ତଙ୍କୁ ନିଶ୍ଚୟ ଆଘାତ ଲାଗିଥିବ ବୋଲି ସଞ୍ଜୟ ସିଂ କହିଥିଲେ । ” ତେବେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ ଏଭଳି ଅଭିଯୋଗକୁ ଭୟ କରୁନାହାନ୍ତି ଏବଂ ଏହା ଉପରେ ବିଶ୍ଳେଷଣ କରିବେ ବୋଲି ଚମ୍ପତ ରାୟ କହିଛନ୍ତି । ଚମ୍ପତ ରାୟ କହିଛନ୍ତି, “ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆମେ ବ୍ୟାଙ୍କରେ ୩୨୦୦ କୋଟିରୁ ଅଧିକ ଟଙ୍କା ଜମା କରିଛୁ।”

Related Posts