ପ୍ରଧାନମନ୍ତ୍ରୀ ମୋଦି ଜି-୭ ସମ୍ମିଳନୀରେ ଯାହା କହୁଛନ୍ତି ତାହା ଦେଶରେ ମଧ୍ୟ କାର୍ଯ୍ୟକାରୀ କରାଇବା ଆବଶ୍ୟକ : ପି ଚିଦାମ୍ବରମ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ନେଇ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ପ୍ରେରଣାଦୟକ ଓ ପ୍ରଶଂସାଯୋଗ୍ୟ ଥିଲା । କିନ୍ତୁ ମୋଦୀ ଜି-୭ ସମ୍ମିଳନୀରେ ଯାହା ବିଶ୍ୱର ନେତାଙ୍କ ଆଗରେ କହିଛନ୍ତି ତାହା ଦେଶରେ ମଧ୍ୟ ଲାଗୁ କରିବା ଆବଶ୍ୟକ । ଜି-୭ ବୈଠକରେ ଭାରତକୁ ଅତିଥି ରାଷ୍ଟ୍ର ଭାବରେ ବ୍ରିଟେନ ନିମନ୍ତ୍ରଣ କରିଥିଲା କିନ୍ତୁ ଏହି ବୈଠକରେ ସମସ୍ତ ଦେଶ ଉପସ୍ଥିତ ଥିଲା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ମାଧ୍ୟମରେ ଉପସ୍ଥିତ ରହିଥିଲେ। କିନ୍ତୁ କାହିଁକି ଭାରତର ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ରହିବା ପରିବର୍ତେ ଭିଡିଓ କନଫରେନସିଂ ମାଧ୍ୟମରେ ଉପସ୍ଥିତ ହେଲେ ସେ ନେଇ ମୋଦି ନିଜକୁ ଥରେ ପଚାରିବା ଆବଶ୍ୟକ ବୋଲି ଚିଦାମ୍ୱରମ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ କରୋନାରେ ସର୍ବାଧିକ ସଂକ୍ରମିତ ଦେଶ ହୋଇଥିବା ସତ୍ତ୍ୱେ ଏଠାରେ ସବୁଠାରୁ କମ୍ ଟିକାକରଣ ହୋଇଛି ।

ଚିଦାମ୍ୱରମ ଏଭଳି କଟାକ୍ଷ କରିବାର ଅର୍ଥ ହେଉଛି ଯଦି ଆଜି ଭାରତରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥାନ୍ତା ତେବେ ପ୍ରଧାନମନ୍ତ୍ରୀ ମୋଦି ବ୍ରିଟେନର କର୍ଣ୍ଣୱାଲରେ ଜି-୭ ସମ୍ମିଳନୀରେ ଉପସ୍ଥିତ ରହିପାରିଥାନ୍ତେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହି କହିଥିଲେ, ଗଣତନ୍ତ୍ର ଏବଂ ସ୍ୱାଧୀନତା ହେଉଛି ଭାରତୀୟ ସଭ୍ୟତା ସମ୍ବନ୍ଧୀୟ ନୈତିକତାର ଅଂଶବିଶେଷ। ଅବଦମନ ନୁହେଁ, ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅଗ୍ରସର କରାଇବା, ଅର୍ଥନୀତିକ ବାଧ୍ୟବାଧକତାକୁ ସୁରକ୍ଷା କରିବା ପାଇଁ ଭାରତ ଜି-୭ ଏବଂ ଏହାର ସହଯୋଗୀମାନଙ୍କ ସହ ରହିଛି। କରୋନାଭାଇରସ୍ ମହାମାରୀ ଦମନ ଲାଗି ବିଶ୍ବର ମିଳିତ ଉଦ୍ୟମ ଆବଶ୍ୟକ ବୋଲି ସେ କହିଥିଲେ । ଏଥିପାଇଁ ‘ଏକ ବିଶ୍ବ, ଏକ ସ୍ବାସ୍ଥ୍ୟ’ ଉଦ୍ୟମ ଆବଶ୍ୟକ ବୋଲି କହିବା ସହ ମହାମାରୀ ମୁକାବିଲାରେ ଭାରତର ‘ସମଗ୍ର ସମାଜ’ ଆଭିମୁଖ୍ୟ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଏତଦ୍ ବ୍ୟତୀତ ଆତଙ୍କବାଦ ଏବଂ ଜଳବାୟୁ ପ୍ରସଙ୍ଗ ମଧ୍ୟ ଉଠାଇ ଥିଲେ। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଅଭିଭାଷଣକୁ ନେଇ AIMIM ନେତା ଅସଦୁଦ୍ଦିନ ଓୱାଇସି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଓୱାଇସି ଟୁଇଟ୍‌ କରି କହିଛନ୍ତି ଯେ ,” ମୋଦୀ ବିକାଶଶୀଳ ଦେଶମାନଙ୍କୁ କହିଛନ୍ତି ଯେ ସେ କୋଭିଡ୍ ଲଢେଇରେ ସେ ନିଜର ଅଭିଜ୍ଞତା ବାଣ୍ଟିବାକୁ ଇଚ୍ଛୁକ। ତେବେ ସେହି ଅଭିଜ୍ଞତା କଣ ବୋଲି ସେ ପ୍ରଶ୍ନ କରିଛନ୍ତି ?

Related Posts