ଦଳର ଉପଦେଷ୍ଟା ଭାବରେ ନୁହଁ ବରଂ ସଦସ୍ୟ ଭାବରେ କଂଗ୍ରେସରେ ଯୋଗ ଦେବା ପାଇଁ ପ୍ରସ୍ତାବ ଦେଲା କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବଂ କଂଗ୍ରେସ ମଧ୍ୟରେ ଘନିଷ୍ଠତା ପୁଣି ବଢ଼ିବାରେ ଲାଗିଛି । ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ପରାଜୟ ବରଣ କରିବା ପରେ ବର୍ତ୍ତମାନ କଂଗ୍ରେସର ନଜର ରହିଛି ଗୁଜୁରାଟ । ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ବର୍ତ୍ତମାନ ଠାରୁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି । ଏନେଇ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ବାରମ୍ବାର ବୈଠକ କରିବାରେ ଲାଗିଛି । ଏପରିକି କିଛି ଦିନ ପୂର୍ବରୁ ଗୁଜୁରାଟର ସ୍ଥିତି ପରଖିବା ପାଇଁ ପ୍ରଶାନ୍ତଙ୍କ ଟିମ ଗୁଜୁରାଟ ଗସ୍ତରେ ଯାଇଥିଲେ । ଏହା ମଧ୍ୟରେ କଂଗ୍ରେସ ପ୍ରଶାନ୍ତ କିଶୋରଙ୍କୁ ଦଳରେ ଯୋଗଦେବାକୁ ପ୍ରସ୍ତାବ ଦେଇଥିବାର କଥା ସାମ୍ନାକୁ ଆସିଛି । ସେପଟେ ପ୍ରଶାନ୍ତ ୨୦୨୪ ନିର୍ବାଚନ ସମ୍ବନ୍ଧରେ ଦଳକୁ ଏକ ବିସ୍ତୃତ ବ୍ଲୁ ପ୍ରିଣ୍ଟ ଉପସ୍ଥାପନ କରିଥିବାର ସୂଚନା ମିଳିଛି । ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ପ୍ରଶାନ୍ତ କିଶୋରଙ୍କୁ ଉପଦେଷ୍ଟା ଭୂମିକା ଗ୍ରହଣ କରିବା ପରିବର୍ତ୍ତେ ଦଳରେ ଯୋଗଦେବାକୁ କହିଛି। ସୂତ୍ରରୁ ପ୍ରକାଶ ଯେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ଦଳର ଦୁର୍ବଳତା ତଥା ଏହାକୁ ଦୂର କରିବା ପାଇଁ ପଦକ୍ଷେପ ସମ୍ପର୍କରେ ଦଳକୁ ଉପସ୍ଥାପନା କରିଛନ୍ତି ।

୨୦୨୪ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋର ଏକ ସମ୍ପୂର୍ଣ୍ଣ ବ୍ଲୁପ୍ରିଣ୍ଟ ଉପସ୍ଥାପନ କରିଛନ୍ତି ଏବଂ ତାଙ୍କ ପରାମର୍ଶକୁ ବିଚାର କରିବା ପାଇଁ ଏକ କମିଟି ଗଠନ କରାଯାଇଛି । ଯାହା ଦ୍ୱାରା ଏହି ପରାମର୍ଶ ଏବଂ ପ୍ରସ୍ତାବ ଉପରେ କିପରି ଅଗ୍ରଗତି କରାଯିବ ତାହା ସ୍ଥିର ହୋଇପାରିବ। କଂଗ୍ରେସର ବରିଷ୍ଠ ନେତା କେସି ଭେନୁଗୋପାଲ ପ୍ରଶାନ୍ତ କିଶୋର, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି। ଆଗାମୀ ନିର୍ବାଚନରେ କଂଗ୍ରେସକୁ ଫେରାଇ ଆଣିବା ପାଇଁ କିଶୋର ଗାନ୍ଧୀ ପରିବାରର ସଦସ୍ୟଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ। ଏହା ସହିତ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts