ଦେଶକୁ ଏହିଭଳି ମନ୍ତ୍ରୀ ଦରକାର, କୋଭିଡ ପଜିଟିଭ ମିଜୋରାମର ମନ୍ତ୍ରୀ ହସ୍ପିଟାଲ ୱାର୍ଡ ପୋଛା କଲେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କୋଭିଡ୍ କାଳରେ ଦେଶର ବିଭିନ୍ନ ସ୍ଥାନରୁ ନିରାଶାଜନକ ଚିତ୍ର ଓ ଭିଡିଓ ସାମ୍ନାକୁ ଆସୁଛି। ଏହା ମଧ୍ୟରେ ମିଜୋରାମ୍ ରୁ ଏକ ଉତ୍ସାହଜନକ ଭିଡିଓ ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ମନ୍ତ୍ରୀ ହସ୍ପିଟାଲ ୱାର୍ଡରେ ପୋଛା ମାରୁଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ମିଜୋରାମର ଶକ୍ତି ଏବଂ ବିଦ୍ୟୁତ୍ ବିଭାଗ ମନ୍ତ୍ରୀ ଆର ଲାଲଜିରିଲିଆନା ଶୁକ୍ରବାର ଦିନ ଏକ ଡାକ୍ତରଖାନା ୱାର୍ଡ଼ରେ ପୋଛା ମାରୁଥିବାର ଦେଖାଯାଇଥିଲା, ଯେଉଁଠାରେ ସେ ତାଙ୍କ ପତ୍ନୀ ଏବଂ ପୁଅଙ୍କ ସହ  ଚିକିତ୍ସିତ ହେଉଛନ୍ତି। ତେବେ ମନ୍ତ୍ରୀଙ୍କର ଏହି କାର୍ଯ୍ୟ ମେଡିକାଲ କର୍ମଚାରୀ କିମ୍ବା କର୍ତ୍ତୃପକ୍ଷଙ୍କୁ ଲଜ୍ଜିତ କରିବା ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ମୂଳ ଉଦ୍ଦେଶ୍ୟ ଥିଲା। ମନ୍ତ୍ରୀ କହିଛନ୍ତି ଯେ ଚଟାଣ ସଫା କରିବା ତାଙ୍କ ପାଇଁ ନୂଆ ନୁହେଁ କାରଣ ସେ ତାଙ୍କ ଘରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଏପରି କାମ କରୁଥିଲେ। ଭିଆଇପି ସଂସ୍କୃତିକୁ ନିନ୍ଦା କରୁଥିବା ମିଜୋରାମରେ ମନ୍ତ୍ରୀମାନେ ଘରୋଇ କାମ କରନ୍ତି, ସାଧାରଣ ଲୋକଙ୍କ ଭଳି ବସ୍ ଓ ମୋଟର ସାଇକେଲରେ ଯାତ୍ରା କରନ୍ତି, ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରନ୍ତି, ଏବଂ ଖ୍ରୀଷ୍ଟମାସ ଓ ନୂଆବର୍ଷ ଭଳି ପର୍ବରେ ସାମୂହିକ ଭୋଜିରେ ରୋଷେଇ କରୁଥିବା ନଜର ଆସନ୍ତି। ତାଙ୍କ ୱାର୍ଡ଼ ସଫା କରିବା ପାଇଁ ସେ  ସୁଇପରକୁ ଡାକିଥିଲେ। କିନ୍ତୁ, କୌଣସି କାରଣ ବଶତଃ ସୁଇପର ଆସି ପାରିନଥିଲେ, ଫଳରେ ସେ ନିଜେ ସଫା କରିଥିଲେ।  ” ଝାଡୁ ମାରିବା, ପୋଛା ମାରିବା କିମ୍ବା ଘର କାମ କରିବା ମୋ ପାଇଁ କୌଣସି ନୂଆ କାମ ନୁହେଁ। ଯେତେବେଳେ ଆବଶ୍ୟକ ପଡେ ସେତେବେଳେ ମୁଁ ଘରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି କାମ କରେ  ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବରୁ ମନ୍ତ୍ରୀ ଆର ଲାଲଜିରିଲିଆନା ରାଜଧାନୀ ଦିଲ୍ଲୀରେ ମିଜୋରାମ୍ ହାଉସ୍ ସଫା କରୁଥିବାର ନଜିର ରହିଛି।  71 ବର୍ଷିୟ ଭେଟେରାନ ରାଜନେତା ତଥା ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF) ନେତା ଏବଂ ତାଙ୍କ ପତ୍ନୀ ଲାଲଥାଙ୍ଗମାୱାଇ (59) ମେ 11 ରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ।  ତାଙ୍କ ପୁଅ ମଧ୍ୟ ମେ 8 ରେ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିଛି। ପ୍ରଥମେ ସେ ହୋମ୍ କ୍ବାରେଣ୍ଟାଇନରେ ଥିଲେ। ଲାଲଜିରଲିଆନାଙ୍କ ଅମ୍ଳଜାନ ସ୍ତର ହ୍ରାସ ପାଇବାରୁ  ମେ 12 ରେ ତାଙ୍କୁ ଜୋରାମ ମେଡିକାଲ କଲେଜ (ZMC) କୁ ସ୍ଥାନାନ୍ତର କରାଯାଇଥିଲା ।ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସେ କହିଛନ୍ତି। ତାଙ୍କୁ ଦୁଇ ଦିନ ଆଇସିୟୁରେ ରଖାଯାଇଥିଲା ଏବଂ ଶୁକ୍ରବାର ଦିନ କୋଭିଡ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ସେ କହିଛନ୍ତି, “ଆମେ ଏଠାରେ ଭଲ ଅଛୁ। ମେଡିକାଲ କର୍ମଚାରୀ ଏବଂ ନର୍ସମାନେ ଆମର ଯତ୍ନ ନେଉଛନ୍ତି। ସେ ମନ୍ତ୍ରୀ ଭାବରେ ବିଶେଷ କିମ୍ବା ଭିଆଇପି ଚିକିତ୍ସା ପସନ୍ଦ କରନ୍ତି ନାହିଁ।” ବର୍ତ୍ତମାନର ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF) ସରକାରରେ ସେ କଳା ଓ ସଂସ୍କୃତି, ସମ୍ବଳ, ମୃତ୍ତିକା ଏବଂ ଜଳ ସଂରକ୍ଷଣ ଏବଂ ଜିଲ୍ଲା ପରିଷଦ ଏବଂ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ବରେ ଅଛନ୍ତି। 

Related Posts