ମଧ୍ୟପ୍ରଦେଶର ସେବରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ପୋଲ ତଳକୁ ଖସିଲା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାକ୍ଟର, ୩ ମୃତ, ୨୫ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶର ଦତିଆ ଜିଲ୍ଲାର ସେବରାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପୋଲ ତଳକୁ ଖସିଛି ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାକ୍ଟର। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୨୫ରୁ ଅଧିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟରର ଟ୍ରଲିରେ ବସିରେ କିଛି ତୀର୍ଥଯାତ୍ରୀ ଭିଣ୍ଡ ଜିଲ୍ଲାରୁ ଯାଉଥିଲେ। ତେବେ ପୋଲ ନିକଟରେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ତଳକୁ ଖସି ଯାଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଦତିଆ ଓ ଗ୍ୱାଲିୟର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛି। ଦୁର୍ଘଟଣାରେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି।

ସେପଟେ ଏହି ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ମୃତବ୍ୟକ୍ତିଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ଆହତଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

Related Posts