ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ପରିବାରର ତିନି ଜଣଙ୍କୁ ମାରି ନିଜେ ଆତ୍ମହତ୍ୟା କଲା ବାପା

ଚେନ୍ନାଇ(ସତ୍ୟପାଠ ବ୍ୟୁରୋ): ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ପରିବାରର ତିନି ଜଣଙ୍କୁ ମାରି ନିଜେ ଆତ୍ମହତ୍ୟା କଲା ବାପା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡ଼ୁର ନାଗାପାଟ୍ଟିନମରେ । ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ରହିଥିବାର ପୁଲିସ ଅଧିକାରୀ କହିଛନ୍ତି । ତେବେ ଲକ୍ଷ୍ମଣ ନାମକ ଜଣେ ବ୍ୟକ୍ତି ଏପରି ଘଟଣା ଘଟାଇଛନ୍ତି। ସେ ଗୋଟିଏ ଚା’ ଦୋକାନ କରି ପରିବାର ଚଳାଉଥିଲେ। କିଛି ଦିନ ତଳେ ତାଙ୍କର ବଡ଼ ଝିଅ ଜଣେ ଅନୁସୂଚିତ ଜାତିର ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ ଲକ୍ଷ୍ମଣ। ଏଥିପାଇଁ ସେ ନିଜ ପତ୍ନୀ ଓ ଅନ୍ୟ ଦୁଇ ଝିଅଙ୍କୁ ହତ୍ୟା କରିଥିଲେ।

ଏହାପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଅନ୍ୟ ଜାତିରେ ବିବାହ କରିଥିବା ବଡ଼ ଝିଅଟି ସ୍ୱାମୀ ପାଖରେ ସୁରକ୍ଷିତ ରହିଛନ୍ତି। ଏବେ ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଥିବା ସେ କହିଛନ୍ତି। ଜାତିଗତ ଭେଦଭାବ ଓ ଅନ୍ୟ ଜାତିରେ ବିବାହ ପାଇଁ ଆକ୍ରମଣ ଘଟଣା ତାମିଲନାଡୁର ଗ୍ରାମାଞ୍ଚଳରେ ଅଧିକ ଦେଖିବାକୁ ମିଳୁଛି। ୨୦୧୬ରେ ଜଣେ ଅନୁସୂଚିତ ଜାତିର ଯୁବକଙ୍କୁ ତିରୁପ୍ପୁର ଜିଲ୍ଲାର ଉଡୁମାଲପେଟରେ କିଛି ଲୋକ ହତ୍ୟା କରିଥିଲେ। ଆକ୍ରମଣକାରୀମାନଙ୍କୁ ଯୁବକ ଜଣଙ୍କ ବିବାହ କରିଥିବା ଯୁବତୀଙ୍କ ପରିବାର ଲୋକ ପଠାଇଥିବା ଜଣାପଡ଼ିଥିଲା। ଆକ୍ରମଣକାରୀମାନେ ୨୩ ବର୍ଷୀୟ ଭି ଶଙ୍କରଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିଲେ ଓ ତାଙ୍କ ପତ୍ନୀ କୌଶଲ୍ୟା ଏହି ଘଟଣାରେ ଗୁରୁତର ଆହତ ହୋଇଥିଲେ।

Related Posts