
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୩୦ଟି ଜିଲ୍ଲାର ୨ ଶହ ଜିଲ୍ଲା ପରିଷଦ ଜୋନ ଓ ୧୬୬୯ ପଞ୍ଚାୟତରେ ଭୋଟଗ୍ରହଣ କରାଯିବ । ଏନେଇ ୨୨ ହଜାର ୩୭୯ ବୁଥ ଖୋଲିଛି । ଗତକାଲି ୧୧ଟି ଜିଲ୍ଲାର ବୁଥକୁ ପୋଲିଂ ପାର୍ଟି ଯାଇଥିବାବେଳେ ଆଜି ୧୯ ଜିଲ୍ଲାର ବୁଥକୁ ପୋଲିଂ କର୍ମଚାରୀ ଯିବେ । ଆସନ୍ତା କାଲି ସକାଳ ୭ଟାରୁ ଦିନ ଗୋଟିଏ ପର୍ଯ୍ୟନ୍ତ ମତଦାନ ହେବ । ଅନ୍ୟପଟେ ଏଥର ପଞ୍ଚାୟତ ନିର୍ବାଚନରେ ୬୭୯୪ ଗ୍ରାମପଞ୍ଚାୟତର ୯୧,୯୧୩ ୱାର୍ଡରେ ୨ କୋଟି ୭୯ ଲକ୍ଷରୁ ଅଧିକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିବେ। ୯୧,୯୧୩ଟି ବୁଥ୍ ଭିତରୁ ୧୩, ୭୮୫ଟି ବୁଥ୍ ଉତ୍ତେଜନା ପ୍ରବଣ ରହିଛି।
ରାଜ୍ୟ ନିର୍ବାଚନ କମିସନ ଆହୁରି କହିଛନ୍ତି, ବୁଧବାର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୨ଟି ଜିଲ୍ଲା ପରିଷଦ ଜୋନ୍, ୧୬୬୯ଟି ସରପଞ୍ଚ, ୧୬୬୯ଟି ପଞ୍ଚାୟତ ସମିତି ସଭ୍ୟ ଓ ୨୦ହଜାରରୁ ଅଧିକ ୱାର୍ଡ ମେମ୍ବର ପଦବି ପାଇଁ ୨୨୩୭୯ଟି ବୁଥରେ ମତଦାନ ହେବ। ୬୭ଲକ୍ଷ ୫୧ହଜାର ୬୮ଜଣ ମତଦାତା ଭୋଟ୍ ଦେବେ। ମତଦାତାମାନେ ଭାରତର ନିର୍ବାଚନ କମିସନଙ୍କ ଦ୍ବାରା ପ୍ରଦତ୍ତ ଭୋଟର ପରିଚୟ ପତ୍ର ଦେଖାଇ ମତଦାନ କରିପାରିବେ। ଏହାଛଡ଼ା ଏଥିଲାଗି ଅନ୍ୟ ୧୩ଟି ଦସ୍ତାବିଜ୍ ଭିତରୁ କୌଣସି ଗୋଟିଏ ବି ଦେଖାଇପାରିବେ। ଏହି ସମୟରେ କୋଭିଡ କଟକଣା ମାନିବାକୁ ଓ ସାମାଜିକ ଦୂରତା ବଜାୟ ରଖିବାକୁ ରାଜ୍ୟ ନିର୍ବାଚନ କମିସନ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି।