(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନ ଦଖଲ କରିବା ପରେ ମଙ୍ଗଳବାର ପ୍ରଥମଥର ପାଇଁ କ୍ୟାମେରା ଆଗକୁ ଆସିଛି ତାଲିବାନ। କାବୁଲରେ ଥିବା ସରକାରୀ ମିଡିଆ ଓ ସୂଚନା କେନ୍ଦ୍ର (ଜିଏମଆଇସି)ରେ ତାଲିବାନ ପକ୍ଷରୁ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଆଫଗାନିସ୍ତାନରେ ତାଲିବାନ ରାଜ ଆରମ୍ଭ ହୋଇଥିବାରୁ ଭୟରେ ଲୋକମାନେ ପଳାୟନ କରୁଛନ୍ତି। ସବୁଆଡ଼େ ଭୟର ବାତାବରଣ। ଏହାରି ମଧ୍ୟରେ ତାଲିବାନ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଲୋକଙ୍କ ଭୟ ଓ ଆଶଙ୍କା ଦୂର କରିବାକୁ ଚେଷ୍ଟା କରିଛି। ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ 20 ବର୍ଷର ସଂଘର୍ଷ ପରେ ଆମେ ଦେଶକୁ ମୁକ୍ତ କରିଛୁ ଏବଂ ବିଦେଶୀମାନଙ୍କୁ ଦେଶରୁ ବିତାଡିତ କରିଛୁ। ସେ ଏହାକୁ ସମଗ୍ର ଦେଶ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି।
ମହିଳାଙ୍କ ଅଧିକାର ଶରିୟା ଆଇନ ଅନୁଯାୟୀ ଅଧିକାର ଦିଆଯିବ
ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି, ଆମେ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ କାହାରି କିଛି କ୍ଷତି ହେବ ନାହିଁ। ତାଲିବାନ ମୁଖପାତ୍ର କହିଛନ୍ତି, “ଆମେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ସହିତ କୌଣସି ପ୍ରକାର ଝଗଡ଼ା ଚାହୁଁ ନାହୁଁ। ଆମର ଧାର୍ମିକ ବିଶ୍ୱାସ ଅନୁଯାୟୀ କାର୍ଯ୍ୟ କରିବାର ଅଧିକାର ଆମର ଅଛି। ଅନ୍ୟ ଦେଶର ଭିନ୍ନ ଭିନ୍ନ ମତ, ନିୟମ ରହିଛି। ଆମର ମୂଲ୍ୟବୋଧ ଅନୁଯାୟୀ ଆଫଗାନିସ୍ତାନର ନିଜର ଅଧିକାର ରହିବା ଉଚିତ। ”
ମୁଜାହିଦ୍ କହିଛନ୍ତି, “ଆମେ ଶାରିଆ ବ୍ୟବସ୍ଥାରେ ମହିଳାଙ୍କ ଅଧିକାରକୁ ସୁଧାରିବା ପାଇଁ ପ୍ରତିବଦ୍ଧ। ମହିଳାମାନେ ଆମ ପାଖରେ ବସି କାମ କରିବାକୁ ଯାଉଛନ୍ତି। ଆମେ ଅନ୍ତର୍ଜାତୀୟ ସମୁଦାୟକୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ସେମାନଙ୍କ ସହ ଭେଦଭାବ କରାଯିବ ନାହିଁ।” ଏହି ଅବସରରେ ତାଲିବାନର ଜଣେ ମୁଖପାତ୍ର କହିଛନ୍ତି, “ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଆଫଗାନିସ୍ତାନ ଆଉ ଯୁଦ୍ଧକ୍ଷେତ୍ର ନୁହେଁ। ଯେଉଁମାନେ ଆମ ବିରୁଦ୍ଧରେ ଲଢିଛନ୍ତି ସେମାନଙ୍କୁ ଆମେ କ୍ଷମା କରିଛୁ। ବର୍ତ୍ତମାନ ଆମର ଶତ୍ରୁତା ସମାପ୍ତ ହୋଇଛି।” ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି, “ଆମେ ଆଉ ବାହାରେ କିମ୍ବା ଦେଶ ଭିତରେ କୌଣସି ଶତ୍ରୁ ଚାହୁଁ ନାହୁଁ। ରାଜଧାନୀ କାବୁଲରେ ମଧ୍ୟ ଆଉ ଅରାଜକତା ଦେଖିବାକୁ ଚାହୁଁ ନାହୁଁ।” ସେ କହିଛନ୍ତି, “ଆମର ଯୋଜନା ଥିଲା କାବୁଲର ସୀମା ନିକଟରେ ଅଟକି ଯିବା, ଯାହାଦ୍ୱାରା କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ସୁରୁଖୁରୁରେ ହୋଇପାରିବ। କିନ୍ତୁ ଦୁର୍ଭାଗ୍ୟବଶତଃ , ପୂର୍ବ ସରକାର ଏଥିପାଇଁ କୌଣସି ବ୍ୟବସ୍ଥା କରି ନଥିଲେ। ମୁଜାହିଦ୍ କହିଛନ୍ତି ଯେ କାବୁଲର ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆମକୁ କାବୁଲରେ ପ୍ରବେଶ କରିବାକୁ ପଡିଲା।
‘ଗଣମାଧ୍ୟମ ଆମ ବିରୋଧରେ କାମ କରିବା ଉଚିତ୍ ନୁହେଁ’
ସାମ୍ବାଦିକ ସମ୍ମିଳନୀରେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଆମର ସାଂସ୍କୃତିକ ଢାଞ୍ଚା ମଧ୍ୟରେ ଆମେ ଗଣମାଧ୍ୟମ ପ୍ରତି ପ୍ରତିବଦ୍ଧ । ସେ କହିଛନ୍ତି, “ଗଣମାଧ୍ୟମ ଆମର ଦୋଷ ଦୁର୍ବଳତା ପ୍ରତି ଧ୍ୟାନ ଦେବା ଉଚିତ, ଯାହା ଦ୍ବାରା ଆମେ ଦେଶର ଭଲ ସେବା କରିପାରିବା। କିନ୍ତୁ ଗଣମାଧ୍ୟମ ମଧ୍ୟ ମନେ ରଖିବା ଉଚିତ ଯେ ଇସଲାମିକ ମୂଲ୍ୟବୋଧ ବିରୁଦ୍ଧରେ କୌଣସି ବି କାମ କରାଯିବା ଉଚିତ ନୁହେଁ।”
‘ମହିଳାମାନେ ଆମ ଢାଞ୍ଚାରେ କାମ କରିପାରିବେ’
ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ମହିଳାଙ୍କ ଅଧିକାରକୁ ନେଇ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, “ଆମେ ମହିଳାମାନଙ୍କୁ ଆମ ବ୍ୟବସ୍ଥାରେ କାର୍ଯ୍ୟ କରିବା ପାଇଁ ଏବଂ ପାଠ ପଢିବାକୁ ଅନୁମତି ଦେବାକୁ ଯାଉଛୁ। ମହିଳାମାନେ ବର୍ତ୍ତମାନ ଆମ ସମାଜରେ ତଥା ଆମ ଢାଞ୍ଚାରେ ସକ୍ରିୟ ହେବାକୁ ଯାଉଛନ୍ତି।” ତାଲିବାନର ଜଣେ ମୁଖପାତ୍ର ଏହା ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଶାସନ କାଳ ସମୟରେ ବେସରକାରୀ ଗଣମାଧ୍ୟମ ପୂର୍ବପରି କାର୍ଯ୍ୟ କରିବ।
ମୁଜାହିଦ ଆହୁରି କହିଛନ୍ତି, ବିଦେଶୀ ଦୂତାବାସର ସୁରକ୍ଷା ତାଲିବାନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ତେଣୁ ଏହାର ସୁରକ୍ଷା ପ୍ରତି ସେମାନେ ପ୍ରତିଶ୍ରୁତିବଦ୍ଧ। ଆମେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ କହିବାକୁ ଚାହୁଁଛୁ ଯେ ଆମ ମାଟି କେବେ ହେଲେ ସେମାନଙ୍କ ବିରୋଧରେ ବ୍ୟବହାର ହେବନାହିଁ। ଅନ୍ତର୍ଜାତୀୟ ସମୁହ ମଧ୍ୟ ଆମ ସରକାରକୁ ମାନ୍ୟତା ଦିଅନ୍ତୁ। ଆମେ କାହା ଉପରେ ପ୍ରତିଶୋଧ ପରାୟଣ ହୋଇ କାର୍ଯ୍ୟ କରିବୁ ନାହିଁ।
