
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ମିଳିତ ଜାତିସଂଘର ସୁରକ୍ଷା ପରିଷଦର ନିନ୍ଦା ପ୍ରସ୍ତାବରେ ରୁଷ ବିରୋଧରେ ଭାରତ ଭୋଟ ନଦେବାରୁ କେନ୍ଦ୍ରକୁ ଟାର୍ଗେଟ କଲେ ବିରୋଧୀ । ତେବେ ୟୁକ୍ରେନ ବିରୁଦ୍ଧରେ ଋଷ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନିନ୍ଦା କରିବା ପାଇଁ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରସ୍ତାବ ଉପରେ ହୋଇଥିବା ମତଦାନରେ ଭାରତ ନିଜକୁ ସାମିଲ କରି ନଥିଲା । ଏହାକୁ ନେଇ ବିରୋଧୀ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ନିଶାନା କରିଛି। କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ମନୀଷ ତିୱାରୀ କହିଛନ୍ତି, ଭାରତକୁ ୟୁକ୍ରେନବାସୀଙ୍କ ସମର୍ଥନରେ ମତଦାନରେ ଭାଗ ନେବା ଜରୁରୀ ଥିଲା।
ମନୀଷ ତିୱାରୀ ଟ୍ୱିଟ କରି କହିଛନ୍ତି, ଏପରି ସମୟ ଆସେ, ଯେତେବେଳେ ରାଷ୍ଟ୍ରକୁ ଠିଆ ହେବାକୁ ପଡେ ଏବଂ ସମ୍ପୂର୍ଣ୍ଣ ଅଲଗା ଠିଆ ହେବା ଜରୁରୀ ନଥାଏ ।
ୟୁଏନଏସସିରେ ୟୁକ୍ରେନବାସୀଙ୍କ ସମର୍ଥନରେ ଭାରତ ଠିଆ ହେଉ ବୋଲି ମୋର ଆଶା ଥିଲା। ମିତ୍ର ଯେତେବେଳେ ଭୁଲ ଥାଏ ସେତେବେଳେ ସେ ଭୁଲ ବୋଲି ତାକୁ ଜଣାଇବା ଜରୁରୀ। ଜଣାଶୁଣା ଆମେରିକୀୟ ସାଂସଦ ରୋ ଖନ୍ନା ମଧ୍ୟ ମତଦାନରେ ଭାରତର ଅଂଶଗ୍ରହଣ ନକରିବା ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଚୀନର ବିସ୍ତାରବାଦୀ ଯୋଜନା ବିରୋଧରେ ନୂଆଦିଲ୍ଲୀ ସହ ଆମେରିକାର ସମର୍ଥନ ରହିବ ଋଷର ନୁହେଁ । ଭାରତ, ଚୀନ ଏବଂ ୟୁଏଇ ଋଷର ଆକ୍ରମଣ ବିରୋଧରେ ଜାତିସଂଘର ପ୍ରସ୍ତାବ ଉପରେ ତମଦାନଠାରୁ ନିଜକୁ ଦୂରେଇ ରଖିଥିଲେ । ଋଷ ପ୍ରସ୍ତାବ ବିରୋଧରେ ବିଟୋ କରିଥିଲା। ଏହି ପ୍ରସ୍ତାବ ସପକ୍ଷରେ ୧୧ ଏବଂ ବିପକ୍ଷରେ ଗୋଟିଏ ଭୋଟ ପଡିଥିଲା।