ଦିଲ୍ଲୀରେ ଆପ ସରକାର ର ମାଗଣା ବିଜୁଳି ସ୍କିମ୍ ଉପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ଆମ ଆଦମୀ ପାର୍ଟିର ସରକାର ଓ ଉପରଜ୍ୟପଳଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ପ୍ରଥମେ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିରେ ଅନିୟମିତତା ନେଇ ତଦନ୍ତ ନିର୍ଦ୍ଦେଶ ଦେବାପରେ ଏବେ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଆପ ସରକାରଙ୍କ ଦ୍ୱାରା ଲଗାଯାଇଥିବା ବିଦ୍ୟୁତ ସବସିଡି ଯୋଜନାରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ସରକାରଙ୍କ ବିଜୁଳି ସବସିଡି ଯୋଜନାରେ ‘ଅନୁପଯୁକ୍ତତା ଏବଂ ଅସଙ୍ଗତି’ ନେଇ ଅଭିଯୋଗ ଆସିଛି। ଏହାକୁ ନେଇ ଉପରାଜ୍ୟପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ୨୦୧୯ ମସିହାରେ ଆପ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ମାଗଣା ବିଦ୍ୟୁତ୍ ଯୋଜନା ଅଧୀନରେ ଦିଲ୍ଲୀର ଘରୋଇ ଉପଭୋକ୍ତାମାନେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ବ୍ୟବହାର କରୁଛନ୍ତି। ଏହି ଯୋଜନାରେ ପ୍ରତି ମାସରେ ୧୦୦% ସବସିଡି ଦିଆଯାଏ । ଏହାସହିତ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ଗ୍ରାହକଙ୍କୁ ସବସିଡି ଭାବରେ ୫୦% କିମ୍ବା ୮୦୦ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଛି ।

ତେବେ ଉପରାଜ୍ୟପାଳ ଙ୍କ ଏଭଳି ତଦନ୍ତ ନିର୍ଦ୍ଦେଶକୁ ସହଜରେ ଗ୍ରହଣ କରିପାରିନାହିଁ ଆମ ଆଦମୀ ପାର୍ଟି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ନିର୍ଦ୍ଦେଶକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ଉପରାଜ୍ୟପାଳଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ଗୁଜୁରାଟ ବିଧାନସଭା ନିର୍ବାଚନ ଆଗକୁ ରହିଥିବା ବେଳେ ସେଠାରେ ଲୋକଙ୍କ ମଧ୍ୟରେ ଆପର ଗ୍ରହଣୀୟତା ବୃଦ୍ଧି ପାଉଛି। ସେଠାରେ ମଧ୍ୟ ଆମ ଦଳ ପକ୍ଷରୁ ମାଗଣା ବିଦ୍ୟୁତ୍ ଗ୍ୟାରେଣ୍ଟି ପ୍ରତିଶ୍ରୁତି ଭାବେ ଦିଆଯାଇଛି। ଏହି ଯୋଜନାର ବଢୁଥିବା ଲୋକପ୍ରିୟତାକୁ ଦେଖି ଏହାକୁ ବଦନାମ କରିବାକୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ବୋଲି କେଜ୍ରିୱାଲ କହିଛନ୍ତି। ଏହାସହିତ କେଜ୍ରିୱାଲ ଏହି ଯୋଜନାକୁ ବନ୍ଦ କରିବାକୁ ଦେବେନାହିଁ ବୋଲି ମଧ୍ୟ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ଧରି ଦିଲ୍ଲୀର ଆମ ଆଦମୀ ପାର୍ଟିର ସରକାର ଓ ଉପରଜ୍ୟପଳଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ପ୍ରଥମେ ଉପରଜ୍ୟପଳଙ୍କ ତରଫରୁ ଦିଲ୍ଲୀ ଅବକାରୀ ନୀତିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ଉଭୟ ସରକାର ଓ ଉପରଜ୍ୟପଳଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଥିଲା। ଆପ ପକ୍ଷରୁ ଅଭିଯୋଗ ଅଣାଯାଇଥିଲା ଯେ, ଦିଲ୍ଲୀ ଉପରଜ୍ୟପଲ୍ ଖଦୀ ବୋର୍ଡର ନିର୍ଦ୍ଦେଶକ ଥିବା ସମୟରେ ବ୍ୟାପକ ଦୁର୍ନୀତି କରିଥିଲେ। ଏହାପରେ ଉପରାଜ୍ୟପାଳ ଏହି ଅଭିଯୋଗ ନେଇ କିଛି ଆପ ନେତାଙ୍କ ବିରୋଧରେ ମାନହାନୀ ମକଦ୍ଦମା ମଧ୍ୟ କରିଥିଲେ। ଏବେ ପୁଣି ମାଗଣା ବିଦ୍ୟୁତ୍ ଯୋଜନା ଉପରେ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଦିଲ୍ଲୀର ଉଭୟ ଉପରଜ୍ୟପଳ ଓ ଆପ ସରକାର ମୁହାଁମୁହିଁ ହୋଇଛନ୍ତି।

Related Posts