ଦିବ୍ୟାଙ୍ଗ ଶିକ୍ଷକଙ୍କ ଅନ୍ତଃଜିଲ୍ଲା ବଦଳି ନେଇ ଅନୁମତି ଦେଲେ ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସରକାରୀ ଶିକ୍ଷକ ଙ୍କ ଅନ୍ତଃ ଜିଲ୍ଲା ବଦଳି ନେଇ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ମାନ୍ୟବର ହାଇକୋର୍ଟ। ଦିବ୍ୟାଙ୍ଗ ଶିକ୍ଷକଙ୍କ ଅନ୍ତଃଜିଲ୍ଲା ବଦଳି ନେଇ ଅନୁରୋଧ ସଂପର୍କିତ ଆବେଦନର ଶୁଣାଣି କରିବାକୁ ଯାଇ ୨୦୨୨ ଫେବ୍ରୁଆରି ୧୪ରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ‌ପ୍ରଦାନ କରିଥିବା ଆଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି।ଭିନ୍ନକ୍ଷମଙ୍କ ଅଧିକାର ଆଇନ, ୨୦୧୬ ଅନୁଯାୟୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅନ୍ତଃଜିଲ୍ଲା ବଦଳି ପାଇଁ ହାଇକୋର୍ଟ ଅନୁମତି ଦେଇଥିବା ଦର୍ଶାଇଛନ୍ତି। ଏଥିସହିତ ୩ ମାସ ଭିତରେ ଆବେଦନକାରୀ ଦିବ୍ୟାଙ୍ଗ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଶେଷ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର୍‌ ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନ୍‌.କେ. ମହାପାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ଶିକ୍ଷା ସହାୟକ ଭାବେ ଯୋଗ ଦେଇଥିବା ଶ୍ରୀ ମହାପାତ୍ର ଙ୍କ ଚାକିରି ନିୟମତ ନେଇ ୨୦୧୮ ମେ ୭ରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶନାମା ଜାରି କରିଥିଲେ। ୭୦ ପ୍ରତିଶତ ଭିନ୍ନକ୍ଷମ ଥିବା ଶ୍ରୀ ମହାପାତ୍ର ଅନ୍ୟ କେତେକ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା କୁଣ୍ଡାପୋସି ୟୁଜିୟୁପି ସ୍କୁଲ ଆବେଦନକାରୀଙ୍କ ଘର ପାଖରେ ହୋଇଥିବାରୁ ସେ ସେହି ସ୍କୁଲକୁ ବଦଳି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟରେ ୨୦୨୦ ଜୁଲାଇ ୧୩ରେ ଆବେଦନ କରିଥିଲେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୨୦୧୬ ମେ ୧୭, ସାଧାରଣ ପ୍ରଶାସନ ବିଭାଗର ୨୦୧୩ ଡିସେମ୍ବର ୩ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ୨୦୨୧ ଫେବ୍ରୁଆରି ୨୫ର ବିଜ୍ଞପ୍ତି ଅନୁଯାୟୀ ଦିବ୍ୟାଙ୍ଗ ସରକାରୀ କର୍ମଚାରୀଙ୍କୁ ଘର ପାଖ କାର୍ଯ୍ୟାଳୟ‌କୁ ଅବସ୍ଥାପିତ କରିବା ଲାଗି ଅନ୍ତଃଜିଲ୍ଲା ବଦଳି ପାଇଁ ଅନୁମତି ଦେଉଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ମାନ୍ୟବର କୋର୍ଟଙ୍କୁ ଦର୍ଶାଯାଇଥିଲା।

Related Posts