ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ନା : ସ୍ବାଗତ କଲେ ଶିକ୍ଷାବିତ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ ପ୍ରସଙ୍ଗରେ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଏହି ପୂର୍ବରୁ ବିଜ୍ଞପ୍ତି ଉପରେ କୋର୍ଟ ରହିତାଦେଶ ଜାରି କରିଥିଲେ , ଆଜି ଏହାକୁ ରଦ୍ଦ କରି ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ୨୦ ରୁ କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏନେଇ ୨୦୨୦ ମାର୍ଚ୍ଚ ୧୧ରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ନିଷ୍ପତ୍ତିକୁ ନେଇ ସେହି ସମୟରେ ବହୁ ଶିକ୍ଷାବିତ୍ ବିରୋଧ କରିଥିଲେ। ଆଜି ଉଚ୍ଚନ୍ୟାୟାଳୟଙ୍କ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଆସିବା ପରେ ଶିକ୍ଷାବିତ୍ ପ୍ରୀତୀଶ ଆଚାର୍ଯ୍ୟ ଏହାକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି , “ହାଇକୋର୍ଟଙ୍କ ଏହି ରାୟକୁ ରାଜ୍ୟ ସରକାର ମଧ୍ୟ ଗ୍ରହଣ କରି ନେବା ଉଚିତ୍। କାରଣ ସ୍କୁଲ୍ ମିଶ୍ରଣ ନୀତି ଦ୍ୱାରା ଗ୍ରାମାଞ୍ଚଳର ଅନେକ ପିଲା ଶିକ୍ଷାରୁ ବଞ୍ଚିତ ହୋଇଯାଇଥାନ୍ତେ। ସରକାର ଲାଭକ୍ଷତି ବା ଖର୍ଚ୍ଚକୁ ଦେଖି ଶିକ୍ଷା ବ୍ୟବସ୍ଥାକୁ ଚଲାନ୍ତୁ ନାହିଁ। ଏବେ ଆମ ରାଜ୍ୟର ସାକ୍ଷରତା ହାର ୭୪-୭୫% ରହିଛି। ସରକାରଙ୍କ ସ୍କୁଲ୍ ମିଶ୍ରଣ ନୀତି ଦ୍ୱାରା ଏହି ହାର ଆହୁରି କମି ଯିବ। “

Related Posts