ଧର୍ମେନ୍ଦ୍ରଙ୍କ ଇସାରା; ରାଜ୍ୟରେ ଆଗୁଆ ହେବ ନିର୍ବାଚନ!

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଦ୍ମପୁର ଉପ-ନିର୍ବାଚନରେ ବଡ ବିଜୟ ହାସଲ କରିବା ପରେ ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ କରିବାକୁ ଯୋଜନା କରୁଛି କି ବିଜୁ ଜନତା ଦଳ ? ଶନିବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟରୁ କିଛି ଏପରି ଇସାରା ମିଳିଛି ।

ତେବେ ପଦ୍ମପୁରରେ ପରାଜୟ ପରେ ଆଗକୁ ୨୦୨୪ ସାଧାରଣ ନିର୍ବାଚନରେ ଲଢ଼େଇ କିପରି ହେବ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ଦେବାକୁ ଯାଇ କହିଥିଲେ ଯେ, ମୁଁ ତ ଶୁଣୁଛି କୁଆଡ଼େ ଏଠି ଟିକେ ଆଗରୁ ନିର୍ବାଚନ ହୋଇଯିବ। ନିର୍ବାଚନ ବହୁତ ଦିନ ଅଛି। ୮ ମାସ ହେଉ କି ୧୫ ମାସ ହେଉ, ବହୁତ କଥା ଘଟିବ, ବହୁତ ପାଣି ପ୍ରବାହିତ ହେବ ମହାନଦୀରେ, ବ୍ରାହ୍ମଣୀରେ, ବୈତରଣୀରେ ଓ ଋଷିକୂଲ୍ୟାରେ। ଆମେ ୨୦୧୯ରେ ବି ଲଢ଼ିଥିଲୁ। ଆଜି ଆମେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ। ଆମେ ଆମ ଏଜେଣ୍ଡା ନେଇ ଲଢ଼ୁଛୁ। ମୋର ବିଶ୍ୱାସ ଅଛି ଓଡ଼ିଶାର ବିକାଶ ପାଇଁ ଓଡ଼ିଆ ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଅଧିକ ବିଶ୍ୱାସ କରୁଛନ୍ତି ଓ ଆଗକୁ ବି କରିବେ।

ଅନ୍ୟପଟେ ପଦ୍ମପୁରକୁ ନେଇ ଶ୍ରୀ ପ୍ରଧାନ କହିଥିଲେ ଯେ, ପଦ୍ମପୁରକୁ ନେଇ ଆମେ ଯାହା ଭାବିଥିଲୁ, ତାହା ହେଲା ନାହିଁ। ପଦ୍ମପୁରର ଜନାଦେଶକୁ ଆମେ ସ୍ୱୀକାର କରୁଛୁ।

ଗତ ଗୁରୁବାର ପଦ୍ମପୁର ଉପ-ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାରି କରିଥିବା ଭିଡିଓ ବାର୍ତ୍ତାରେ କହିଥିଲେ ଯେ, ରାଜ୍ୟ ବିଜେପି ନେତାମାନେ ମହିଳାମାନଙ୍କୁ ଅସମ୍ମାନ କରିଛନ୍ତି। ରାଜନୀତି କରିବା ବାହାନାରେ ଯଦି ମହିଳାଙ୍କୁ ଅସମ୍ମାନ କରାଯିବ, ତାକୁ ଓଡ଼ିଶାବାସୀ କେବେ ସମର୍ଥନ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାର ଜବାବରେ ଆଜି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଯିଏ ଜିତେ ସ୍ୱାଭାବିକ ଭାବେ ତାଙ୍କ ମନ ଖୁସି ଥାଏ। ସେ ଟିକେ ବଢ଼େଇ ଚଢ଼େଇ କହିବା ସ୍ୱାଭାବିକ। ଯିଏ ବି ଏଭଳି ମନ୍ତବ୍ୟ ଦେଲେ, ସେ ଭୁଲିବା ଉଚିତ୍ ନୁହେଁ ଯେ ଭାରତୀୟ ଜନତା ପାର୍ଟି ପଦ୍ମପୁରରେ ୭୮ ହଜାର ଭୋଟ୍ ପାଇଛି। ତା’ ଭିତରେ କ’ଣ ମହିଳା ଭୋଟର ନାହାନ୍ତି? ଯାହାର ସଂସ୍କାର ଯେମିତି, ସେ ସେମିତି ଦମ୍ଭ ଦେଖାଇବେ। ରାଜ୍ୟରେ ଗତ ୩ ବର୍ଷରେ ମହିଳାଙ୍କ ଉପରେ ଅତ୍ୟାଚାରର ସଂଖ୍ୟା ବଢ଼ିଛି। ଏଥର ବିଧାନସଭାରେ ସରକାରୀ ଦଳ ପକ୍ଷରୁ ଏହି ବିବୃତ୍ତି ଆସିଛି। ଏହା ଓଡ଼ିଶାର ମହିଳାମାନଙ୍କ ସ୍ଥିତି ସଂପର୍କରେ ଅବଗତ କରାଉଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଟଏଲେଟ୍ ବନାଇବାରେ, ଘର ତିଆରି କରିବାରେ, ବିଜୁଳି ସଂଯୋଗ ଦେବାରେ, ଗ୍ୟାସ୍ ସଂଯୋଗ ଦେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଓଡ଼ିଶାର ଗରିବ ଲୋକଙ୍କୁ ଘର ଦେବାକୁ ଓ ଗରିବ ଲୋକଙ୍କୁ ସଶକ୍ତିକରଣ କରିବାକୁ ଭାରତ ସରକାର ଦେଉଥିବା ପଇସାକୁ ସଠିକ୍ ବିନିଯୋଗ କରାଯାଉ ବୋଲି ସେ କହିଛନ୍ତି।

Related Posts