
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀସ୍ଥିତ ଜାତୀୟ ଜନଜାତି କମିଶନରାଙ୍କ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । ଜାତୀୟ ଜନଜାତି କମିଶନଙ୍କ ବାରମ୍ବାର ସମନ ସତ୍ତ୍ୱେ ହାଇକୋର୍ଟରୁ ରହିତାଦେଶ ଆଣିଥିବା ଜିଲ୍ଲାପାଳ ଶେଷରେ କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସରେ ଆଜି ହାଜର ହୋଇଛନ୍ତି। ଜିଲ୍ଲାପାଳଙ୍କୁ ଆଣି ହାଜର କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ କମିଶନ ।
କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି କେନ୍ଦୁଝର ଜିଲ୍ଲାର କାନପୁର ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଶୁଣାଣି ଥିଲା। ଏହି ଶୁଣାଣି ପ୍ରାୟ ଘଣ୍ଟାଏ କାଳ ଚାଲିଥିବା ବେଳେ ଏଥିନିମନ୍ତେ ଜୁନ୍ ୨୮ ତାରିଖକୁ ପରବର୍ତ୍ତୀ ତାରିଖ ସ୍ଥିର କରାଯାଇଛି। ଉକ୍ତ ଦିନ ଜିଲ୍ଲାପାଳଙ୍କୁ ହାଜର ହେବାକୁ କୁହାଯାଇଛି। ସଦସ୍ୟ ଅନନ୍ତ ନାୟକଙ୍କ ଉପସ୍ଥିତିରେ ହେଲା ଶୁଣାଣି । ଆସନ୍ତା ଜୁନ୍ ୨୮ରେ ମାମଲାରେ ହେବ ପରବର୍ତ୍ତୀ ଶୁଣାଣି । ଜନଜାତିଙ୍କ ଅଭିଯୋଗ ସମ୍ପର୍କିତ ବିଭିନ୍ନ ମାମଲାରେ ହାଜର ପାଇଁ ଥିଲା ନିର୍ଦ୍ଦେଶ ଦେଇଛନ୍ତି |
ଏହାବାଦ କେନ୍ଦୁଝର ଜିଲ୍ଲାର ଆଦିବାସୀମାନେ ବିଭିନ୍ନ ସମସ୍ୟା (ବ୍ୟକ୍ତିଗତ/ସାମୂହିକ) ନେଇ କମିଶନଙ୍କ କ୍ଷେତ୍ରୀୟ ଓ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଗତ ଏକ ବର୍ଷ ଧରି କେନ୍ଦୁଝର ଜିଲ୍ଲାପାଳଙ୍କୁ କମିଶନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କ ଆବେଦନର ଶୁଣାଣିରେ ଭାଗ ନେବା ପାଇଁ ନୋଟିସ୍ ଓ ସମନ୍ ଜାରି କରାଯାଇଥିଲା। ମାତ୍ର ଏହାକୁ ଏଡ଼ାଇ ଚାଲିଥିଲେ ଜିଲ୍ଲାପାଳ ।
ଜାତୀୟ ଜନଜାତି କମିଶନ ବାରମ୍ବାର ନୋଟିସ ଦେବା ସତ୍ତ୍ୱେ ଜିଲ୍ଲାପାଳ ଶ୍ରୀ ଠାକରେ କମିଶନଙ୍କ ନିକଟରେ ହାଜର ହେଉନଥିଲେ କିମ୍ବା ତାଙ୍କର ନିର୍ଦ୍ଦେଶ ମାନୁନଥିଲେ । ଯେଉଁଥିପାଇଁ କମିଶନ ଅଧିକ କଠୋର ହୋଇ ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିବା ସହ ତାଙ୍କୁ ଗିରଫ କରି ହାଜର କରାଇବା ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦୁଝର ଜିଲ୍ଲାପାଳଙ୍କୁ ଗିରଫ କରି କମିଶନଙ୍କ ନିକଟରେ ଏପ୍ରିଲ ୪ତାରିଖ ସୁଦ୍ଧା ହାଜର କରିବାକୁ ପୁଲିସ ଡିଜିଙ୍କୁ ଜାତୀୟ ଜନଜାତି କମିଶନ ନିର୍ଦ୍ଦେଶ ଦେଇଥିଲେ ।
କମିଶନଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଶ୍ରୀ ଠାକରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି ଗତ ୧୯ ତାରିଖରେ ଏହା ଉପରେ ଓଡ଼ିଶା ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଉକ୍ତ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ଜିଲ୍ଲାପାଳ ଆଜି ଅନ୍ୟ ଏକ ମାମଲା କାନପୁର ପ୍ରକଳ୍ପ ସମ୍ପର୍କରେ ହୋଇଥିବା ଶୁଣାଣି ନିମନ୍ତେ କମିଶନଙ୍କ ନିକଟରେ ହାଜର ହୋଇଛନ୍ତି |