ନିଜ ଦଳର ନିର୍ବାଚନୀ ଖର୍ଚ୍ଚ ପାଣ୍ଠି ର ବଳକା ସାଢ଼େ ୩ କୋଟି ଟଙ୍କା ହଡ଼ପ ପାଇଁ କେରଳ ବିଜେପି ନେତା ରଚିଥିଲେ ଡକାୟତି ଯୋଜନା; ବାମ ଫ୍ରଣ୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କେରଳର ରାଜପଥରେ ସାଢେ ତିନି କୋଟି ଡକାୟତି ମାମଲା ଏବେ ଏକ ଆକର୍ଷଣୀୟ ମୋଡ଼ ନେଇଛି। ଏ ସମ୍ପର୍କରେ ରାଜ୍ୟର ବିଜେପି ନେତାମାନଙ୍କୁ ପୋଲିସ ପଚରାଉଚରା କରିଛି। ଏଥିସହ ଶାସକ ଦଳର ବାମପନ୍ଥୀ ନେତାମାନେ ଅଭିଯୋଗ କରିଛନ୍ତି ଯେ ଏହି ଡକାୟତି ସ୍ଥାନୀୟ ବିଜେପି ନେତାଙ୍କ ଦ୍ବାରା ରଚିତ ଏକ କାଳ୍ପନିକ ଡ୍ରାମା। ବିଧାନସଭା ନିର୍ବାଚନର ତିନି ଦିନ ପୂର୍ବରୁ କେରଳର ଥ୍ରୀସୁର ଏବଂ କୋଚି ରାଜପଥରେ ଏକ ଡକାୟତି ହୋଇଥିଲା। ଏହି ଘଟଣାରେ ଏବେ ବରିଷ୍ଠ ଆରଏସଏସ ପ୍ରଚାରକ ଏମ ଗଣେସନ ଏବଂ ବିଜେପି ରାଜ୍ୟ ସାଧାରଣ ସଚିବ ଜି ଗିରିଶାନଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ ଜାରି କରିଛି । ଉଭୟଙ୍କୁ ରବିବାର ପୋଲିସ ନିକଟରେ ହାଜର ହେବାକୁ କୁହାଯାଇଛି। ଏହାପୂର୍ବରୁ ଶନିବାର ଦିନ ପୋଲିସ ଥ୍ରୀସୁରର ବିଜେପି ନେତାଙ୍କୁ ପଚରାଉଚରା କରିଥିଲା। ଏଥିମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ କେ.ଆର ହରି, କେନ୍ଦ୍ରୀୟ ଅଞ୍ଚଳ ସଚିବ କାଶୀନାଥନ ଏବଂ ଜିଲ୍ଲା କୋଷାଧ୍ୟକ୍ଷ ସୁଜୟ ସେନାନ ସାମିଲ ଥିଲେ। ଭୋଟ୍ ମତଦାନର ଗୋଟିଏ ଦିନ ପରେ ଏପ୍ରିଲ 7 ରେ କାର ଡ୍ରାଇଭର ପୋଲିସ ନିକଟରେ ଅଭିଯୋଗ କରି କହିଥିଲା ଯେ ଡକାୟତିରେ ଚୋରି ହୋଇଥିବା ଟଙ୍କା ଆରଏସଏସ କର୍ମଚାରୀ ତଥା କୋଜିକୋଡେ ବ୍ୟବସାୟୀ ଏ.କେ ଧର୍ମରାଜଙ୍କର, ଧର୍ମରାଜ କହିଛନ୍ତି ଯେ ସେ ଏହି ଟଙ୍କା ପୂର୍ବତନ ବିଜେପି ଯୁବ ମୋର୍ଚ୍ଚା ନେତା ସୁନୀଲ ନାୟକଙ୍କ ଠାରୁ ପାଇଛନ୍ତି। ଏହି ଘଟଣା ସହ ଜଡିତ ଥିବା ଦଳର ଦାବିକୁ ରାଜ୍ୟ ବିଜେପି ସଭାପତି କେ ସୁରେନ୍ଦ୍ର ଅସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ଯେ ସମଗ୍ର ନିର୍ବାଚନ ସମୟରେ ଦଳ କେବଳ କେରଳରେ ଡିଜିଟାଲ୍ କାରବାର କରିଛି। ବିଜେପି ନେତାମାନଙ୍କୁ ପଚରାଉଚରା କରିବା କେବଳ ଏକ ନାଟକ।

Related Posts