କେନ୍ଦ୍ରକୁ କେରଳ ହାଇକୋର୍ଟଙ୍କ ପ୍ରଶ୍ନ: ” ଆରବିଆଇ ଠାରୁ ମିଳିଥିବା ୯୯ ୧୨୨ କୋଟି ଟଙ୍କାକୁ ମାଗଣା ଟିକାକରଣ ପାଇଁ କାହିଁକି ବ୍ୟବହାର କରୁ ନାହିଁ ? “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମାଗଣା ଟୀକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କେରଳ ହାଇକୋର୍ଟ। ସୋମବାର ଦିନ କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଯେ ସରକାର କାହିଁକି ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇ ଦେଉନାହାନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ମାଗଣା ଟୀକାକରଣ ପାଇଁ ଆରବିଆଇ ପକ୍ଷରୁ ଦିଆଯାଇଥିବା 99,000 କୋଟି ଟଙ୍କାର ଡିଭିଡେଣ୍ଡ ଫଣ୍ଡ୍ ରୁ କେନ୍ଦ୍ର ସରକାର କାହିଁକି ଟଙ୍କା ଖର୍ଚ୍ଚ କରୁନାହାଁନ୍ତି। ଜଷ୍ଟିସ୍ ବିନୋଦ ଚନ୍ଦ୍ରନ୍ ଏକ ପିଟିସନର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବିଭିନ୍ନ ଟିକା କମ୍ପାନୀ ଟୀକାର ଦର ଭିନ୍ନ ଭିନ୍ନ ରଖିଛନ୍ତି । ଯଦି କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣାରେ ଟୀକାକରଣ କରନ୍ତି ତେବେ 34,000 କୋଟି ଟଙ୍କା ଖର୍ଚ୍ଚ ହେବ । ତେଣୁ ଗତ ସପ୍ତାହରେ ଆରବିଆଇ ପକ୍ଷରୁ ଘୋଷିତ 99,122 କୋଟି ଡିଭିଡେଣ୍ଡ ଫଣ୍ଡ୍ କୁ କେନ୍ଦ୍ର ସରକାର ଏଥିପାଇଁ ଖର୍ଚ୍ଚ କରି ପାରିବେ। କୋର୍ଟ ପ୍ରଶ୍ନ କରିଛନ୍ତି ଯେ “ ଆପଣଙ୍କ ପାଖରେ ଆରବିଆଇର
ଅତିରିକ୍ତ ଆୟ ରହିଛି, ଆପଣ କାହିଁକି ଏହି ରାଶିକୁ ଟୀକାକରଣ ଉଦ୍ଦେଶ୍ୟରେ ବ୍ୟବହାର କରୁନାହାଁନ୍ତି? ଆପଣ ଏ ସମ୍ପର୍କରେ ଆପଣଙ୍କ ନୀତି ନିର୍ମାତାମାନଙ୍କୁ ପଚାରନ୍ତୁ ।” କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଓକିଲ ରାଜ କୁମାରଙ୍କୁ ପ୍ରଶ୍ନ କରିଛନ୍ତି। ତେବେ ରାଜ କୁମାର କହିଛନ୍ତି ଯେ ଟୀକାକରଣର ମୂଲ୍ୟ ନିର୍ଦ୍ଧାରଣ କରିବା ଏକ ନୀତିଗତ ସମସ୍ୟା । ଏବଂ ଏଥି ପାଇଁ ତାଙ୍କୁ ସମୟ ଆବଶ୍ୟକ। ଏଥିସହ ସେ କହିଛନ୍ତି ଯେ 45 ବର୍ଷରୁ ଅଧିକ ଲୋକଙ୍କୁ ଏହି ଟିକା ମାଗଣାରେ ପ୍ରଦାନ କରୁଛି ଏବଂ କେରଳକୁ ପ୍ରାୟ 80 ଲକ୍ଷ ଟିକା ଦିଆଯାଇଛି। ଏହି ଅବସରରେ କୋର୍ଟ କହିଛନ୍ତି ଯେ ଏହା ଫେଡେରାଲିଜମ କି କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ ଚର୍ଚ୍ଚା କରିବାର ସମୟ ନୁହେଁ। କେରଳରେ 20 ଲକ୍ଷ ଲୋକ ଉଭୟ ଡୋଜ ଟିକା ନେଇଛନ୍ତି। ବାକି 60 ଲକ୍ଷ ଲୋକ ପ୍ରଥମ ଡୋଜ ପାଇଛନ୍ତି । କିନ୍ତୁ ପେମେଣ୍ଟ ଆଧାରରେ କେରଳକୁ ମାତ୍ର 5 ଲକ୍ଷ ଟିକା ମିଳିଛି। ଏବଂ ପ୍ରାୟ ଏକ କୋଟି ଟିକା ପାଇଁ ଅର୍ଡର ଦିଆଯାଇଛି। ଏଥି ମଧ୍ୟରୁ 70 ଲକ୍ଷ କୋଭିଶିଲ୍ଡ ଏବଂ 30 ଲକ୍ଷ କୋଭାକ୍ସିନ । ଏହା ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ଏକ ପିଟିସନର ଶୁଣାଣି କରି ଟୀକାର ଭିନ୍ନ ଭିନ୍ନ ମୂଲ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ସରକାର ଟିକାର ଭିନ୍ନ ଭିନ୍ନ ଦରକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ବର୍ତ୍ତମାନ ନୀତି ଅନୁସାରେ “ଜନସ୍ୱାସ୍ଥ୍ୟ ଅଧିକାର ପାଇଁ ଏହା କ୍ଷତିକାରକ ହେବ” । ଟିକା ଦର ନିର୍ଦ୍ଧାରଣ କରିବାରେ କେନ୍ଦ୍ର ସରକାର ନୀତିରେ ପରିବର୍ତ୍ତନ ଆଣିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ସାରା ଦେଶରେ ଟିକାର ଘୋର ଅଭାବ ଦେଖାଦେଇଛି। ଅନେକ ରାଜ୍ୟରେ ୧୮ରୁ ୪୪ ବୟସ୍କଙ୍କ ଟିକାକରଣ ପ୍ରକ୍ରିୟା ସ୍ଥଗିତ ରଖିଛନ୍ତି। ଏହା ସହ ଗ୍ଲୋବାଲ୍ ଟେଣ୍ଡର ଜାରି କରି ବେଦଶରୁ ଟିକା ମଗେଇଥିବା ପଞ୍ଜାବ ଓ ଦିଲ୍ଲୀ ସରକାରଙ୍କୁ ମୋଡର୍ଣ୍ଣା ଏବଂ ଫାଇଜର ଭଳି କମ୍ପାନୀ ଟିକା ଦେବାକୁ ମନା କରିଦେଇଛନ୍ତି। ସେମାନେ କେବଳ କେନ୍ଦ୍ର ସରକାରଙ୍କ ସହ ଏ ସମ୍ପର୍କରେ କଥା ହେବେ ବୋଲି ରୋକଠୋକ ଶୁଣାଇଦେଇଛନ୍ତି।

Related Posts