(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ଜୁଲାଇ ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଗଷ୍ଟ ୧୩ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ରହିପାରେ କାର୍ଯ୍ୟଦିବସ ରହିବ । ମୌସୁମୀ ଅଧିବେଶନ ସାଧାରଣତଃ ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହୋଇ ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହୁଏ। କୋଭିଡ ଗାଇଡଲାଇନ ପାଳନ କରି ଅଧିବେଶନ ଚାଲିବ । ସଂସଦର ମୌସୁମୀ ଅଧିବେଶନରେ ୪୦୦ରୁ ଅଧିକ ସାଂସଦ ଯୋଗଦେବାର ସମ୍ଭାବନା ରହିଛି। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସୂଚନା ମୁତାବକ ସଚିବାଳୟ କର୍ମଚାରୀ ମାନେ ଟିକା ନେଇଛନ୍ତି ଏବଂ ୪୪୫ ଜଣ ସାସଂଦ ନିଜ ନିଜ ରାଜ୍ୟରେ ଟିକା ନେଇସାରିଛନ୍ତି। ସଂସଦ ଅଧିବେଶନକୁ ରିପୋର୍ଟିଂ କରୁଥିବା ସାମ୍ବାଦିକମାନଙ୍କୁ ଲୋକସଭା ସଚିବାଳୟ ଜରିଆରେ ଟିକା ନେବାକୁ ପରାମର୍ଶ ଦିଆଯାଇଛି। ସେହିପରି ରାଜ୍ୟସଭା ସକାଳ ୯ଟାରୁ ଅପରାହ୍ନ ଗୋଟାଏ ଯାଏଁ ଚାଲିବ। ଅପରାହ୍ନ ୪ଟାରୁ ଲୋକସଭା ଅଧିବେଶନ ଚାଲିବ । ଗତ ମାର୍ଚ୍ଚ ବଜେଟ ଅଧିବେଶନ ସମୟରେ ଉଭୟ ଗୃହ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେଉଥିଲା। ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିପରିଷଦ ବୈଠକ ବସିଥିଲା। ଏହି ବୈଠକରେ ସମସ୍ତ ମନ୍ତ୍ରୀମାନଙ୍କୁ ବିରୋଧୀମାନେ କରୋନା ସଙ୍କଟକୁ ନେଇ ଉଠାଉଥିବା ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ପୂରା ଯୋଜନା କରିଛନ୍ତି। କରୋନା ମୁକାବିଲାରେ ସରକାରଙ୍କ ବିଫଳତା ଠାରୁ ଆରମ୍ଭ କରି ଦର ବୃଦ୍ଧି ପ୍ରସଙ୍ଗକୁ ବିରୋଧୀ ମୁଖ୍ୟ ଅସ୍ତ୍ର କରିବେ ବୋଲି କୁହାଯାଉଛି।
Related Posts
-
Copyright © SatyaPatha2021