ଲାଗୁଛି ନେହେରୁଙ୍କ ରୋଗ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗ୍ରାସ କରିଛି : ସୁବ୍ରମଣ୍ୟମ ସ୍ବାମୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚୀନ୍ ଏବଂ ପାକିସ୍ତାନ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ କାଠଗଡାରେ ଛିଡା କରୁଥିବା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଚୀନ୍ ସହ ସୀମା ବିବାଦ ସମ୍ପର୍କରେ ପ୍ରତିକ୍ରିୟା ରଖି ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ,” ଲାଗୁଛି ନେହେରୁଙ୍କ ରୋଗ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗ୍ରାସ କରିଛି। ” ଟିଭି ଚ୍ୟାନେଲ ନ୍ୟୁଜଏକ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଚୀନ୍ ସହ ଦେଖାଦେଇଥିବା ସୀମା ବିବାଦ ସମ୍ପର୍କରେ କହିଛନ୍ତି ଯେ ସାମରିକ ଦୃଷ୍ଟିରୁ ଆଜି ଆମେ ଅତ୍ୟନ୍ତ ଖରାପ ସ୍ଥିତିରେ ଅଛୁ। ଚୀନ୍ ଏବଂ ପାକିସ୍ତାନ ଏବେ ଏକାଠି ହୋଇଯାଇଛନ୍ତି। ଏବଂ ଆମେରିକା ମଧ୍ୟ ଭାରତ ଉପରେ ଖପ୍ପା କାରଣ ଭାରତ ଉଭୟ ଚୀନ୍ ଏବଂ ଆମେରିକା ଉଭୟଙ୍କ ସହ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛି। କିନ୍ତୁ ଚୀନ୍ ସହ ଭାରତର ସମ୍ପର୍କକୁ ନେଇ ଆମେରିକା ଅସନ୍ତୁଷ୍ଟ। ତେଣୁ ସ୍ବାମୀ କଟାକ୍ଷ କରି କହିଛନ୍ତି ଯେ, ” ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଯେଉଁ ରୋଗ ଗ୍ରାସ କରିଥିଲା ସମାନ ରୋଗ ଏବେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଗ୍ରାସ କରିଛି। ବିଜେପି ନେତା ସୁବ୍ରମଣ୍ୟମ୍ ସ୍ବାମୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଉଭୟ ” ବ୍ରିକ୍ସ୍ ଏବଂ କ୍ୱାର୍ଡ ” ସହିତ ଚାଲିପାରିବ ନାହିଁ । ସ୍ବାମୀ ଏହା ମଧ୍ୟ କହିଛନ୍ତି ଯେ ସେପ୍ଟେମ୍ବର ମାସରେ ଚୀନ୍ ଏବଂ ପାକିସ୍ତାନ ପୁଣିଥରେ କଥାବାର୍ତ୍ତା କରିବାକୁ ଯାଉଛନ୍ତି ଏବଂ ଆଫଗାନିସ୍ଥାନ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ଯାଉଛନ୍ତି। ସ୍ବାମୀ ଦାବି କରିଛନ୍ତି ଯେ ଏହା ପରେ ପରବର୍ତ୍ତୀ ନମ୍ବର ଭାରତର ଆସିବ। କାଶ୍ମୀରର ଗୋଟିଏ ଅଂଶ ପାକିସ୍ତାନ ଏବଂ ଅନ୍ୟ ଅଂଶ ଚୀନ୍ ପାଖକୁ ଯିବ। ଚୀନ୍ ଏବଂ ପାକିସ୍ତାନ ଏକ ଠୋସ ରଣନୀତି ଆଧାରରେ କାମ କରୁଛନ୍ତି କିନ୍ତୁ ଭାରତର କୌଣସି ରଣନୀତି ନାହିଁ। ସ୍ବାମୀ କହିଛନ୍ତି ଯେ ଆମର ଶତ୍ରୁ କିଏ ଏବଂ ମିତ୍ର କିଏ ତାହା ଆମେ ଏପର୍ଯ୍ୟନ୍ତ ଜାଣିପାରୁ ନାହୁଁ। ଯଦି ତୁମେ କାହାର ବନ୍ଧୁ, ତେବେ ତୁମକୁ ମଧ୍ୟ ବନ୍ଧୁତା ବଜାୟ ରଖିବାକୁ ପଡିବ । ଭାରତ ଇସ୍ରାଏଲ ସହିତ ବନ୍ଧୁତା କରି ମିଳିତ ଜାତିସଂଘରେ ହାମାସକୁ ଭୋଟ୍ କରିପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦୃଷ୍ଟିରେ ବୈଦେଶିକ ମନ୍ତ୍ରଣାଳୟ ବନ୍ଦ କରିଦେବା ଉଚିତ ଏବଂ ପ୍ରଧାନମନ୍ତ୍ରୀ ବୈଦେଶିକ ମନ୍ତ୍ରଣାଳୟକୁ ନିଜ ଅଧୀନରେ ରଖିଦେବା ଉଚିତ୍। ତେବେ ଅତୀତରେ ମଧ୍ୟ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ମୋଦୀ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଗତ ବର୍ଷ ଜୁନ୍ ମାସରେ ଲଦାଖରେ ଚୀନ୍ ସେନା ଏବଂ ଭାରତୀୟ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ସମୟରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱୀକାର କରିଛନ୍ତି ଯେ ଭାରତର ସୀମା ଭିତରକୁ କେହି ଆସି ନାହାଁନ୍ତି। ଏଥି ସହ ସେ କହିଛନ୍ତି ଯେ ଚୀନ୍ ପ୍ରତି ଭାରତ ସରକାରଙ୍କ ଆଭିମୁଖ୍ୟକୁ ନେଇ ସେ ସମ୍ପୂର୍ଣ୍ଣ ଅସନ୍ତୁଷ୍ଟ। ଚୀନ୍ ସହ କେନ୍ଦ୍ର ସରକାରଙ୍କ ଡାଇଲଗ୍ କୁ ନେଇ ସେ ପ୍ରଶ୍ନ କରିଥିଲେ।

Related Posts