ବହୁ ଚର୍ଚ୍ଚିତ କନ୍ଧମାଳ ଦଙ୍ଗା ମାମଲା: ୧୩ ବର୍ଷ ପରେ ଆସିଲା ରାୟ, ୩୦ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବହୁଚର୍ଚ୍ଚିତ ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ବିଚାର କରି କନ୍ଧମାଳ ଜିଲା କୋଟଗଡସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଦାଲତ ବିଚାରପତି ଅନୁରାଗ ଦେହୁରୀ ସମସ୍ତ ସାକ୍ଷ୍ୟପ୍ରମାଣ ଆଧାରରେ ୩୦ ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏଁ ଜେଲ୍‌ କାରାଦଣ୍ଡାଦେଶ ଦେଇଛନ୍ତି।

   ଏହା ସହ ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ନଦେଇପାରିଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ଚୂଡ଼ାନ୍ତ ରାୟରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ଅଦାଲତର ସରକାରୀ ଓକିଲ ସବିତା ସାମନ୍ତରାୟ ସୂଚନା ଦେଇଛନ୍ତି। ବହୁ ଚର୍ଚ୍ଚିତ କନ୍ଧମାଳ ଦଙ୍ଗାର ୧୩ ବର୍ଷ ପରେ ଏହି ରାୟ ପ୍ରକାଶ ପାଇଛି।

    ସଜା ହୋଇଥିବା ୩୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୫ ଜଣ ଅଭିଯୁକ୍ତ ଅନୁପସ୍ଥିତ ଥିବାରୁ ସେମାନଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ରାୟ ପ୍ରକାଶ ପାଇବା ସମୟରେ ଅଦାଲତରେ ଅନ୍ୟ ୨୪ ଜଣ ଅଭିଯୁକ୍ତ ଉପସ୍ଥିତ ଥିଲେ। ଉପସ୍ଥିତ ୨୪ ଅଭିଯୁକ୍ତଙ୍କୁ ବିଚାରପତି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ମାତ୍ର, ଅଭିଯୋଗକାରୀ ଅତୁଲଙ୍କର ଏହା ମଧ୍ୟରେ ଦେହାନ୍ତ ହୋଇ ସାରିଛି। 

  ସୂଚନାଯୋଗ୍ୟ ଯେ , ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ପରେ ପରେ କନ୍ଧମାଳରେ ଦଙ୍ଗା ସୃଷ୍ଟି ହୋଇଥିଲା। ୨୦୦୮ ମସିହା ଅଗଷ୍ଟ ୨୪ ତାରିଖରେ କୋଟଗଡ଼ ବ୍ଳକ ଅନ୍ତର୍ଗତ ବଣ୍ଡାପିପିଲି ଗ୍ରାମର ଅତୁଲ ପରିଚ୍ଛାଙ୍କ ଘର ସମେତ ଅନ୍ୟ କେତେକଙ୍କ ଘର ଜାଳି ଦିଆଯାଇଥିଲା। 

    ଏହା ବ୍ୟତୀତ କିଛି ଲୋକ ଘରେ ପଶି ଭଙ୍ଗାରୁଜା କରିବା ସହ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏ ନେଇ କୋଟଗଡ଼ ଥାନାରେ ଏତଲା ମଧ୍ୟ ହୋଇଥିଲେ। ଏତଲା ପ୍ରକାରେ କୋଟଗଡ଼ ଥାନା ପୁଲିସ ସେହି ସମୟରେ କେସ ନଂ ୩୩ା୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ବର୍ତ୍ତମାନ ଦୀର୍ଘ ୧୩ ବର୍ଷ ପରେ ଏହି ବହୁ ଚର୍ଚ୍ଚିତ ଘଟଣାର ରାୟ ପ୍ରକାଶ ପାଇଛି।

Related Posts