ଟୋକିଓ ଅଲମ୍ପିକ୍ସ : ୧୦୦ ମିଟରରେ ନିରାଶ କଲେ ଦୂତି, ତୀରନ୍ଦାଜରେ କ୍ୱାର୍ଟର ଫାଇନାଲ୍‌ରେ ଦୀପିକା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଟୋକିଓ ଅଲମ୍ପିକ୍ସରେ ନିରାଶ କଲେ ଭାରତୀୟ ଆଥଲେଟ୍ ଦୂତି ଚାନ୍ଦ । ୧୦୦ ମିଟର ରେସର ପ୍ରଥମ ରାଉଣ୍ଡରେ ସେ ସପ୍ତମ ସ୍ଥାନରେ ରହିଛନ୍ତି ।  ୧୧.୫୪ ସେକେଣ୍ଡରେ ସେ ୧୦୦ ମିଟର ଅତିକ୍ରମ କରି ରେସରେ ସପ୍ତମ ସ୍ଥାନରେ ଅଛନ୍ତି ଦୂତି । 

ପ୍ରଥମ ସ୍ଥାନରେ ଜାମାଇକାର ଏସ. ଫ୍ରେସର ରହିଛନ୍ତି । ସେ ୧୦.୮୪ ସେକେଣ୍ଡରେ ନିଜର ଦୌଡ କମ୍ପ୍ଲିଟ କରିଥିଲେ । ଏହା ପରେ ୧୦.୯୧ ସେକେଣ୍ଡ ସହ ସ୍ୱିଜରଲ୍ୟାଣ୍ଡର ଏ. ଡେଲ ପଣ୍ଟେ ୨ୟ ସ୍ଥାନରେ, ୧୧.୦୦ ସେକେଣ୍ଡ ସହ ନାଇଜେରିଆର ଏ.ନ୍ୱୋକୋଚା ତୃତୀୟ ସ୍ଥାନ ହାସଲ କରିଛନ୍ତି । ତେବେ ଦୂତୀ ୧୧.୫୪ ସେକେଣ୍ଡ ସପ୍ତମ ସ୍ଥାନରେ ରହିଥିଲେ ।

ତେବେ ଆଗକୁ ୨୦୦ ମିଟର ରେସରେ ମଧ୍ୟ ଦୂତି ଚାନ୍ଦ ଭାଗ ନେବାକୁ ଯାଉଛନ୍ତି । ଏଥିରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । 

   ଅପରପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ପଦକ ପକ୍କା କରିଛନ୍ତି ମହିଳା ବକ୍ସର ଲଭଲିନା ବୋରଗୋହେନ୍ । ୬୯ କିଲୋ ବର୍ଗରେ ଲଭଲିନାଙ୍କ ବିଜୟ ହାସଲ କରି ସେ ସେମିଫାଇନାଲରେ ପହଞ୍ଚିଛନ୍ତି । ଚାଇନିଜ୍ ତାଇପେଇ ଚିନ୍-ଚେନ୍ ନିଏନଙ୍କୁ ୪-୧ରେ ପରାସ୍ତ କରିଛନ୍ତି ଲଭଲିନା । 

ସେହିପରି ତୀରନ୍ଦାଜୀର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି ଦୀପିକା କୁମାରୀ। ମହିଳା ଏକକ ତୀରନ୍ଦାଜୀର ପ୍ରି-କ୍ୱାର୍ଟରରେ ସେ ଋଷିଆର କେସନିଆ ପେରୋଭାଙ୍କୁ ୬-୫ଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି।

ଦୀପିକା ଆଜି ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ସେଟ୍‌ରେ ଜିତି କେସନିଆ ପେରୋଭାଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ଦ୍ୱିତୀୟ ସେଟ୍‌ରେ ପେରୋଭା ବିଜୟୀ ହୋଇଥିଲେ। ତୃତୀୟ ସେଟ୍‌କୁ ଦୀପିକା କବଜା କରିଥିବା ବେଳେ ଚତୁର୍ଥ ସେଟ୍‌ରେ ସ୍କୋର ସମାନ ରହିଥିଲା।

 କିନ୍ତୁ ପଞ୍ଚମ ସେଟ୍‌ରେ କେସନିଆ ଭଲ ପ୍ରଦର୍ଶନ କରି ଆଗୁଆ ରହିଥିଲେ। ଏହାପରେ ଶୁଟ୍‌ଅଫ୍‌ରେ ଦୀପିକା ଚମତ୍କାର ପ୍ରଦର୍ଶନ କରିଥିଲେ। ଆଜି ଦିନ ସାଢ଼େ ୧୧ଟାରେ ସେ ତାଙ୍କର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳିବେ। କ୍ୱାର୍ଟର ଫାଇନାଲ୍‌ରେ ତାଙ୍କର ମୁକାବିଲା କୋରିଆର ୟାନ୍ ସାନ୍‌ଙ୍କ ସହ ହେବ। 

Related Posts