(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କୁହାଯାଏ ନେତା ଥରେ ଜିତିଲେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଖା ଦିଅନ୍ତି ନାହିଁ। ଠିକ୍ ଏଭଳି ଏକ ଘଟଣା ଘଟିଛି ୟୁପିର ହାପୁର ଜିଲ୍ଲାର ଢୋଲପୁର ଗ୍ରାମବାସୀଙ୍କ ସହ। ଆଗକୁ ବିଧାନସଭା ନିର୍ବାଚନ ଆସୁଥିବାରୁ ବିଜେପି ବିଧାୟକ କମଲ ସିଂ ଗାଁ କୁ ଗାଁ ପଦଯାତ୍ରା କରୁଛନ୍ତି। ଆଉ ଏହି ସମୟରେ ସେ ଢୋଲପୁର ଗ୍ରାମକୁ ମଧ୍ୟ ଆସିଥିଲେ।
ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ଖପ୍ପା ଥିବା ଗ୍ରାମବାସୀଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ ବିଜେପି ବିଧାୟକ। କ୍ରୋଧିତ ଗ୍ରାମବାସୀ ବିଧାୟକ ମହୋଦୟଙ୍କୁ ପାଣିରେ ଭର୍ତ୍ତି ରାସ୍ତାରେ ଚଲାଇ ଚଲାଇ ନେଇଥିଲେ। ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଏହି ଘଟଣା ହାପୁର ଜିଲ୍ଲାର ଢୋଲପୁର ଗାଁର । ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଧାୟକ କମଲ ସିଂ ମଲିକ ଏବେ ଗାଁ ପଦଯାତ୍ରା କରୁଛନ୍ତି । ବୁଧବାର ଦିନ ସେ ଢୋଲପୁର ଗ୍ରାମରେ ପହଞ୍ଚି ଥିଲେ। ଏହା ପରେ ତାଙ୍କୁ ଗ୍ରାମବାସୀଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥିଲା।
ବିଧାୟକଙ୍କ ଉପରେ ଖପ୍ପା ଥିବା ଗ୍ରାମବାସୀ କହିଛନ୍ତି ଯେ ନିର୍ବାଚନ ପରେ ଆପଣ ପ୍ରଥମ ଥର ପାଇଁ ଆମ ଗାଁକୁ ଆସିଛନ୍ତି। ଗାଁରେ ମୌଳିକ ଆବଶ୍ୟକତା ପୂରଣ ହୋଇନାହିଁ। ପାଇବା ପାଣିର ବ୍ୟବସ୍ଥା ନାହିଁ। ଏବଂ ପରିମଳ ବ୍ୟବସ୍ଥା ତ ନକହିଲେ ଭଲ। ରାସ୍ତା ନିର୍ମାଣ କରାଯାଇଛି କିନ୍ତୁ ଡ୍ରେନେଜ ବ୍ୟବସ୍ଥା ନାହିଁ। ଆଉ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ପାଣି।ଆଉ ଗ୍ରାମବାସୀ ଏହି ପାଣି ଦେଇ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ବିଧାୟକ ଯେତେବେଳେ ସେଠାରେ ରେ ପହଞ୍ଚି ଥିଲେ ଗାଁର ପ୍ରଧାନ ରବିନ୍ଦ୍ର ଏବଂ କିଛି ଗ୍ରାମବାସୀ ଏକାଠି ବିଧାୟକଙ୍କ ହାତ ଧରି ପାଣି ରାସ୍ତାରେ ଚଲାଇ ଚଲାଇ ଭିତରକୁ ନେଇଗଲେ। ଏହି ସମୟରେ ସେଠାରେ ଉପସ୍ଥିତ ଲୋକମାନେ ଏହି ଘଟଣାର ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ଅପଲୋଡ କରି ଥିଲେ।
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି। ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିବି ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ 2022 ମସିହାରେ ଉତ୍ତରପ୍ରଦେଶରେ ବିଜେପିର ନଉକା ବୁଡ଼ିଯିବାର ସଙ୍କେତ ମିଳିଯାଇଛି
ଅନେକ ସୋସିଆଲ ମିଡ଼ିଆ ୟୁଜର ବିଧାୟକଙ୍କ ପ୍ରତି କରାଯାଇଥିବା ଏହି ବ୍ୟବହାରକୁ ଯଥାର୍ଥ ଦର୍ଶାଇ ଥିବା ବେଳେ ଆଉ କିଛି ୟୁଜର ଏଥିପାଇଁ ଗାଁ ପ୍ରଧାନଙ୍କୁ ଦାୟୀ କରୁଛନ୍ତି। ଜି ଶଙ୍କର ନାମକ ଜଣେ ୟୁଜର ଲେଖିଛନ୍ତି,” ଯିଏ ଯେମିତି କର୍ମ କରିବ ସେ ସେମିତି ଫଳ ପାଇବ। ”
ଉତ୍ତରପ୍ରଦେଶର ହାପୁରର ମୁକ୍ତେଶ୍ୱର ବିଧାନସଭା ଆସନରୁ ବିଜେପିରୁ ବିଧାୟକ ଅଛନ୍ତି କମଲ ସିଂ ମଲିକ।ଏହାପୂର୍ବରୁ ମଧ୍ୟ ବିଧାୟକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେହି ସମୟରେ ସେ ତାଙ୍କ ସମର୍ଥକଙ୍କ ସହ ଟୋଲ କର୍ମଚାରୀଙ୍କୁ ମାରପିଟ୍ କରୁଥିବା ଦେଖିବାକୁ ମିଳିଥିଲା।