ଶାଶୁ ଘରେ ନଥିଲା ଟଏଲେଟ: ଶେଷରେ ଏପରି ଚରମ ନିଷ୍ପତ୍ତି ନେଲେ ମାସକ ତଳେ ବିବାହ କରିଥିବା ଯୁବତୀ

ଚେନ୍ନାଇ: ତାମିଲନାଡୁର କୁଡ୍ଡାଲୋର ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଟଏଲେଟ ପାଇଁ ଜଣେ ନବବିବାହିତା ମହିଳା ଆତ୍ମହତ୍ୟା କରିଛନ୍ତି । ମାତ୍ର ମାସକ ତଳେ ହାତକୁ ଦି’ ହୋଇ ସୁନାର ସଂସାର ଗଢ଼ିବା ଆଗରୁ ଟଏଲେଟ ପାଇଁ ଏହି ଅଘଟଣ ଘଟି ଯାଇଛି । ୨୭ ବର୍ଷୀୟ ମହିଳା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ଆପଣାଇ ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କୁଡ୍ଡାଲୋର ଜିଲ୍ଲା ଅରିସିପେରିୟାନକୁପ୍ପାମରେ ରହୁଥିବା ୨୭ ବର୍ଷୀୟ ରମ୍ୟା ଏପ୍ରିଲ ୬ରେ କାର୍ତ୍ତିକେୟନଙ୍କୁ ବିବାହ କରିଥିଲେ। ରମ୍ୟା ଗୋଟିଏ ଘରୋଇ ହସ୍ପିଟାଲରେ କାମ କରୁଥିଲେ। ବାହାଘରର କିଛି ଦିନ ପରେ ଟଏଲେଟକୁ ନେଇ ରମ୍ୟା ଓ କାର୍ତ୍ତିକେୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା। ସ୍ୱାମୀଙ୍କ ଘରେ ଟଏଲେଟ ନଥିବାରୁ ରମ୍ୟା ବାହାଘର ପରେ ମଧ୍ୟ ନିଜ ମା’ଙ୍କ ପାଖରେ ରହୁଥିଲେ।

ଏଥିସହ ସେ ବାରମ୍ବାର କାର୍ତ୍ତିକେୟନଙ୍କୁ କୁଡ୍ଡାଲୋ ସହରରେ ଟଏଲେଟ ଥିବା ଗୋଟିଏ ଘର ବୁଝିବାକୁ କହି ଚାଲିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଯୁକ୍ତିତର୍କ ମଧ୍ୟ ହେଉଥିଲା। ତେବେ ସୋମବାର ଦିନ ରମ୍ୟା ବିରକ୍ତ ଭାବ ପ୍ରକାଶ କରି ତାଙ୍କ ମା’ଙ୍କ ଘରେ ଥିବା ଗୋଟିଏ ସିଲିଂ ଫ୍ୟାନ୍‌ରେ କପଡ଼ା ଲଗାଇ ଝୁଲି ପଡ଼ିଥିଲେ।

ମା’ ଏକଥା ଦେଖିବା ପରେ ପଡ଼ୋଶୀଙ୍କ ସହାୟତାରେ ରମ୍ୟାଙ୍କୁ ତୁରନ୍ତ କୁଡ୍ଡାଲୋର ସରକାରୀ ହସ୍ପିଟାଲକୁ ନେଇଥିଲେ। ସେଠାରୁ ତାଙ୍କୁ ପୁଡୁଚେରୀରେ ଥିବା Postgraduate Medical Education and Researchକୁ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରମ୍ୟାଙ୍କ ମା’ ପୁଲିସ୍‌ ନିକଟରେ ଏନେଇ ଅଭିଯୋଗ କରିବାରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

Related Posts