(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଜନତା ଦଳ ୟୁନାଇଟେଡ (ଜେଡିୟୁ) କୁ ମିଳିଲା ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ମୁଙ୍ଗେର ନିର୍ବାଚନ ମଣ୍ଡଳୀରୁ ସାଂସଦ ଥିବା ଲଲନ ସିଂ ଏବି ଜେଡିୟୁର ନୂତନ ରାଷ୍ଟ୍ରୀୟ ସଭାପତି ହେବେ। ରାଜଧାନୀ ଦିଲ୍ଲୀରେ ଜନତା ଦଳ ୟୁନାଇଟେଡର ରାଷ୍ଟ୍ରିୟୀ କାର୍ଯ୍ୟକାରିଣୀ ବୈଠକରେ ସର୍ବସମ୍ମତି କ୍ରମେ ଲଲନ ସିଂଙ୍କୁ ନିର୍ବାଚିତ କରାଯାଇଛି ।
ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ଘନିଷ୍ଠ କୁହାଯାଉଥିବା ଆରସିପି ସିଂ କେନ୍ଦ୍ର ମନ୍ତ୍ରୀ ହେବା ପରଠାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ଆଲୋଚନା ହେଉଥିଲା ଯେ ଆରସିପି ସିଂ କେନ୍ଦ୍ର ମନ୍ତ୍ରୀ ହେବା ପରେ ଏବେ ଲଲାନ ସିଂଙ୍କୁ ଦଳର କମାଣ୍ଡ ହସ୍ତାନ୍ତର କରାଯିବ।
ଦଳର ସଂସଦୀୟ ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର କୁଶବାହା ମଧ୍ୟ ଏହି ପଦ ପାଇଁ ଜଣେ ପ୍ରମୁଖ ଦାବିଦାର ଥିଲେ। ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଏବଂ ଲଲାନ ସିଂଙ୍କୁ ଦଳର ସଭାପତି ଭାବେ ଚୟନ କରାଯାଇଛି। ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ଥିଲେ ।
ଲଲନ ସିଂଙ୍କ ରାଜନୈତିକ ଯାତ୍ରା
ବିହାରର ମୁଙ୍ଗେର ସଂସଦୀୟ ନିର୍ବାଚନମଣ୍ଡଳୀରୁ ସାଂସଦ ଥିବା ରାଜୀବ ରଂଜନ (ଲାଲାନ ସିଂ) ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜଣେ ଅତି ନିକଟତର ନେତା ବୋଲି ବିବେଚନା କରାଯାଏ। ସେ 24 ଜାନୁଆରୀ 1955 ରେ ଜନ୍ମଗ୍ରହଣ କରିଥିଲେ। ଭୁମିହାର ଜାତିରୁ ଆସୁଥିବା ଲଲନ ଜେଡିୟୁର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ତୁଲାଇଛନ୍ତି। 2014 ଲୋକସଭା ନିର୍ବାଚନରେ ପରାଜୟ ପରେ ତାଙ୍କୁ ରାଜ୍ୟପାଳ କୋଟାରୁ ବିହାର ବିଧାନ ପରିଷଦକୁ ପଠାଯାଇଥିଲା। ଅପରପକ୍ଷରେ ଜିତନ ରାମ ମଞ୍ଝୀଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା ।
ଲଲନ ସିଂଙ୍କୁ ମନ୍ତ୍ରୀ ପଦ ମିଳିବା ପରେ ଦଳ ଭିତରେ ବିଦ୍ରୋହ ଦେଖା ଦେଇଥିଲା। ଏବଂ ଜ୍ଞାନେନ୍ଦ୍ର ସିଂ ଜିଆନୁ 12 ଜଣ ବିଧାୟକଙ୍କୁ ନେଇ ବିଜେପିରେ ସାମିଲ୍ ହୋଇଯାଇଥିଲେ। ଫେବୃଆରୀ 2015 ରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ 2015 ରେ ପୁଣିଥରେ ମହାଗଠବନ୍ଧନ ସରକାର ଗଠନ ହେବା ପରେ ସେ ନୀତୀଶ କ୍ୟାବିନେଟରେ ସ୍ଥାନ ପାଇଥିଲେ।