(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ବିଜେପିକୁ ହରାଇବା ପରେ ଏବେ ଦଳର ସଙ୍କଟ ବଢିବାରେ ଲାଗିଛି। କିଛି ଦିନ ତଳେ ବରିଷ୍ଠ ନେତା ମୁକୁଲ ରୟ ବିଜେପି ଛାଡ଼ି ଟିଏମସିରେ ସାମିଲ ହୋଇଥିଲେ। ଆଉ ଏବେ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ସାଂସଦ ବାବୁଲ ସୁପ୍ରିୟୋ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ ରାଜନୀତି ଛାଡିବାକୁ ଘୋଷଣା କରିଛନ୍ତି। ସୁପ୍ରିଓ ତାଙ୍କ ଫେସବୁକ୍ ପେଜରେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ତାଙ୍କୁ କେନ୍ଦ୍ର କ୍ୟାବିନେଟରୁ ବହିଷ୍କାର କରାଯିବା ପରେ ବାବୁଲ ସୁପ୍ରିଓ ରାଜନୀତି ଛାଡିବା ନେଇ ଚର୍ଚ୍ଚା ହେଉଥିଲା। ରାଜନୀତି ଛାଡ଼ିବା ସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି।
https://www.facebook.com/195086033867546/posts/4344085975634177/?sfnsn=wiwspmo
କଣ୍ଠଶିଳ୍ପୀରୁ ରାଜନେତା ପାଲଟିଥିବା ବାବୁଲ ଫେସବୁକ୍ ପୋଷ୍ଟ କରି ଏଭଳି ଏକ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, “ଅଲବିଦା ! ମୁଁ କୌଣସି ରାଜନୀତିକ ଦଳକୁ ଯାଉନାହିଁ। ଟିଏମସି, କଂଗ୍ରେସ କିମ୍ବା ସିପିଆଇଏମ କେହି ବି ମୋତେ ନିମନ୍ତ୍ରଣ କରି ନାହାନ୍ତି। ମୁଁ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ମୋତେ କେହି ବି ଡାକି ନାହାନ୍ତି। ତେଣୁ ମୁଁ କେଉଁ ଦଳରେ ମିଶିବିନି। ମୁଁ ୱାନ ଟିମ୍ ପ୍ଲେୟାର। ” ସୁପ୍ରିଓ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ମୁଁ କିଛି ଲୋକଙ୍କୁ ସାହାଯ୍ୟ କରିଛି ଏବଂ କିଛି ଲୋକଙ୍କୁ ନିରାଶ କରିଛି। ନିକଟରେ ମୋଦୀ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଯେଉଁ ୧୨ ଜଣଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା, ସେମାନଙ୍କ ମଧ୍ୟରେ ବାବୁଲଙ୍କ ନାଁ ରହିଥିଲା। ଆଉ ସେ ସମୟରେ ମଧ୍ୟ ଫେସବୁକ୍ ପୋଷ୍ଟ ଜରିଆରେ ଅସନ୍ତୋଷ ପ୍ରକାଶ କରିଥିଲେ।
ସାଂସଦ ପଦରୁ ଇସ୍ତଫା ଘୋଷଣା
ବାବୁଲ ଏକ ଲମ୍ବା ଫେସବୁକ୍ ପୋଷ୍ଟରେ କହିଛନ୍ତି ଯେ ସେ ମାସେ ମଧ୍ୟରେ ସରକାରୀ ଆବାସ ଛାଡିବେ ଏବଂ ସେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବାକୁ ଯାଉଛନ୍ତି। ସୁପ୍ରିଓ କହିଛନ୍ତି ଯେ ରାଜନୀତିରେ ରହି ସାମାଜିକ କାର୍ଯ୍ୟ କରିବା ସମ୍ଭବ ନୁହେଁ।
“ଗତ କିଛି ଦିନ ମଧ୍ୟରେ ମୁଁ ଅମିତ ଶାହ ଓ ଜେପି ନଡ୍ଡାଜୀଙ୍କୁ ମୋ ମନରେ ଥିବା ଭାବନା ଜଣାଇ ଦେଇଛି। ମୁଁ ସେମାନଙ୍କ ଭଲପାଇବାକୁ କେବେବି ଭୁଲି ପାରିବି ନାହିଁ ଏବଂ ତେଣୁ ମୋର ସାହାସ ନାହିଁ ତାଙ୍କ ପାଖକୁ ଯାଇ ଦେଖା କରି ପାରିବି।”
ସୁପ୍ରିଓ କହିଛନ୍ତି, “ମୁଁ ଏହି ନିଷ୍ପତ୍ତି ବହୁ ପୂର୍ବରୁ ନେଇଥିଲି, ତେଣୁ ବର୍ତ୍ତମାନ ମୁଁ ସେମାନଙ୍କ ପାଖକୁ ଯିବି, ମୋତେ ଲାଗିବ ଯେ ମୁଁ ବୁଝାମଣା କରୁଛି ଏବଂ ଯେତେବେଳେ ଏହା ଠିକ୍ ନୁହେଁ, ମୁଁ ଚାହେଁ ନାହିଁ ଯେ ସେମାନଙ୍କ ପାଖକୁ ଏକ ଭୁଲ୍ ସଙ୍କେତ ଯାଉ। ମୁଁ ପ୍ରାର୍ଥନା କରିବି ଯେ ସେମାନେ ମୋତେ କେବେବି ଭୁଲ ବୁଝନ୍ତୁ ନାହିଁ। “
କିନ୍ତୁ ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପଦରୁ ବିଦା ହେବା ପରେ ସେ ଆଜି ସୋଶାଲ ମିଡିଆରେ ରାଜନୀତିକୁ ଅଲବିଦା କରିଛନ୍ତି।
ଆସନସୋଲରୁ ୨ ଥର ସାଂସଦ ହୋଇଥିବା ବାବୁଲ ୨୦୧୪ ରୁ ୨୦୧୬ ଯାଏ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ। ୨୦୧୬ ଜୁଲାଇରୁ ୨୦୧୯ ମେ’ ମାସ ଯାଏ ତାଙ୍କୁ ଭାରୀ ଶିଳ୍ପର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ୨୦୧୯ ରେ ମୋଦି ସରକାର ପୁଣି ଥରେ କେନ୍ଦ୍ରରେ କ୍ଷମତାସୀନ ହେବା ପରେ ବାବୁଲ ପରିବେଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ।