ଆର ଭେଙ୍କଟରମଣି ହେଲେ ଦେଶର ନୂଆ ଆଟର୍ଣ୍ଣି ଜେନେରାଲ, ଅକ୍ଟୋବର ୧ରୁ ସମ୍ଭାଳିବେ କାର୍ଯ୍ୟଭାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ ଆଇନଜୀବୀ ଆର ଭେଙ୍କଟରମଣି ଦେଶର ନୂଆ ଆଟର୍ଣ୍ଣି ଜେନେରାଲ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଅକ୍ଟୋବର ୧ରୁ ଦେଶର ଏଜି ଭାବେ କାର୍ଯ୍ୟଭାର ସମ୍ଭାଳିବେ ଓ ୩ ବର୍ଷ ପାଇଁ ଏହି ପଦରେ ରହିବେ। ଭେଙ୍କଟରମଣିଙ୍କ ଏଜି ଭାବେ ନିଯୁକ୍ତି ପ୍ରସ୍ତାବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ଦେଇଛନ୍ତି। ଏ ସଂକ୍ରାନ୍ତରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।ବର୍ତ୍ତମାନ ଦେଶର ଏଜି ଭାବେ କାର୍ଯ୍ୟ କରୁଥିବା କେକେ ଭେନୁଗୋପାଲଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେବ। ସେ ୨୦୧୭ରୁ ଏହି ପଦରେ ରହିଛନ୍ତି। ସେ ଅବସର ନେବା ପରେ ଭେଙ୍କଟରମଣି ବିଧିବଦ୍ଧ ଭାବେ ଏହି ଦାୟିତ୍ୱ ଗ୍ରହଣ କରିବେ।

ଏହାପୂର୍ବରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ କେନ୍ଦ୍ର ସରକାର ଦେଶର ନୂଆ ଏଜି ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ। ରୋହତଗୀ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ଏଜି ଭାବେ କାର୍ଯ୍ୟ କରିଥିଲେ। ହେଲେ ଏବେ ସେ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିବାରୁ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଭେଙ୍କଟରମଣିଙ୍କୁ ଦେଶର ଏଜି କରାଯାଇଥିବା କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୧୯୫୦ ମସିହା ଏପ୍ରିଲ ୧୩ରେ ପୁଡ଼ୁଚେରୀରେ ଜନ୍ମ ଗ୍ରହଣ କରିଥିବା ଭେଙ୍କଟରମଣି ୧୯୭୭ ମସିହାରେ ଓକିଲ ଭାବେ ନିଜର ପଞ୍ଜୀକରଣ କରାଇଥିଲେ। ତାମିଲନାଡୁ ବାର୍ କାଉନସିଲର ସଦସ୍ୟ ଭାବେ ସେ ତାଙ୍କ ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ। ୧୯୭୯ରେ ସେ ସୁପ୍ରିମକୋର୍ଟରେ ମାମଲା ଲଢ଼ିଥିଲେ। ୧୯୯୭ରେ ତାଙ୍କୁ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀର ମାନ୍ୟତା ଦେଇଥିଲେ। ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ସେ ଶତାଧିକ ମାମଲା ଲଢ଼ିଛନ୍ତି। କେନ୍ଦ୍ର, ବିଭିନ୍ନ ରାଜ୍ୟ, ବିଶ୍ୱବିଦ୍ୟାଳୟ ଓ ସରକାରୀ ସଂସ୍ଥା ପାଇଁ ସେ ମାମଲା ପରିଚାଳନ କରିଛନ୍ତି। ୨୦୧୦ ଓ ୨୦୧୩ରେ ସେ ଆଇନ କମିଶନର ସଦସ୍ୟ ଭାବେ କାମ କରିବାର ଅଭିଜ୍ଞତା ଭେଙ୍କଟରମଣିଙ୍କ ପାଖରେ ରହିଛି।

Related Posts