୭୨ ପ୍ରତିଶତ ମୃତକଙ୍କ ନାଁ ଲୁଚାଇ ଅଡୁଆରେ ନୀତିଶ ସରକାର

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : କୋଭିଡ୍ ମୃତ୍ୟୁ ସଂଖ୍ୟା ଲୁଚାଇ ଅଡୁଆରେ ନୀତିଶ ସରକାର। ବିହାର ସରକାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ଲୁଚାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଏହା ପରେ ଘଟଣା ପାଟନା ହାଇକୋର୍ଟରେ ପହଞ୍ଚିଥିଲା।ଘଟଣାର ସଂଜ୍ଞାନ ନେଇ ହାଇକୋର୍ଟ ବିହାର ସରକାରଙ୍କୁ ପଚାରିଥିଲେ ଯେ ମୃତ୍ୟୁ ସଂଖ୍ୟା ଏବଂ ଶ୍ମଶାନରେ ଶବ ଦାହ ସଂଖ୍ୟାରେ କାହିଁକି ତାଳମେଳ ରହୁନି । ଘଟଣାର ତଦନ୍ତ କରି ସଠିକ୍ ମୃତ୍ୟୁ ସଂଖ୍ୟା ଜାରି କରିବାକୁ ହାଇକୋର୍ଟ ବିହାର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତିନି ସପ୍ତାହ ଧରି ମୃତ୍ୟୁ ସଂଖ୍ୟାକୁ ନେଇ ଅଡିଟ ହୋଇଥିଲା। ତେବେ ହାଇକୋର୍ଟଙ୍କ ଛାଟ ବାଜିବା ବିହାର ସରକାର ଅସଲ ରିପୋର୍ଟ ପ୍ରକାଶ କରିଛନ୍ତି । ପରିଣାମ ସ୍ବରୂପ ଦେଶର ମୃତ୍ୟୁ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛି । ବିହାରରେ ଏବେ ମୋଟ୍ ମୃତ୍ୟୁ ସଂଖ୍ୟା ୯ ହଜାରକୁ ଛୁଇଁଥିବା ବେଳେ ଗତ ୨୪ ଘଣ୍ଟାରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୬୧୪୮ ବୋଲି ଜଣାପଡ଼ିଛି । ବିଗତ ରିପୋର୍ଟ ତୁଳନାରେ ଏବେ ବିହାରର ମୃତ୍ୟୁ ସଂଖ୍ୟା ୭୨ ପ୍ରତିଶତ ବୃଦ୍ଧି ପାଇଛି। ବିହାର ସରକାର ଜାରି କରିଥିବା ନୂଆ ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୨୦୨୦ରୁ ୨୦୨୧ ମଧ୍ୟରେ ବିହାରରେ ୧୬୦୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଚଳିତ ବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ୭,୭୭୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ୬ ଗୁଣା ଅଧିକ। ସେହିପରି ୨୪ ଘଣ୍ଟା ମଧ୍ୟରେ ପୁରୁଣା ସଂଖ୍ୟା ଯୋଡିବା ପରେ ମୃତ୍ୟୁ ସଂଖ୍ୟା ୫,୪୫୮ ରୁ ୯,୪୨୯କୁ ବୃଦ୍ଧି ପାଇଛି। ଏହି ସଂଖ୍ୟା ସିଧାସଳଖ ୭୨% ବୃଦ୍ଧି ପାଇଛି। ନୂତନ ରିପୋର୍ଟ ଅନୁଯାୟୀ ସର୍ବାଧିକ ୨୩୦୩ କରୋନା ମୃତ୍ୟୁ ରାଜଧାନୀ ପାଟନାରେ ଘଟିଛି । କିନ୍ତୁ ପାଟନାରେ ତିନୋଟି ସରକାରୀ ଶବଦାହ ଶ୍ମଶାନର ରେକର୍ଡ ଅନୁଯାୟୀ ୩୨୪୩ କୋଭିଡ ମୃତକଙ୍କ ଶବଦାହ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ପ୍ରତୀ ଅମୃତ କହିଛନ୍ତି ଯେ ଯଦି ଅନ୍ୟ ଜିଲ୍ଲାର ଜଣେ ବ୍ୟକ୍ତି ପାଟନାରେ ମୃତ୍ୟୁବରଣ କରନ୍ତି ଏବଂ ସେଠାରେ ହିଁ ଶବଦାହ କରାଯାଏ, ତେବେ ମୃତ୍ୟୁ ପାଟନା ନୁହେଁ ବରଂ ମୃତକଙ୍କ ଜନ୍ମ ଜିଲ୍ଲାରେ ଏହି ସଂଖ୍ୟା ଗଣାଯିବ । ” ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ କହିଛନ୍ତି ଯେ ଯଦି କୋଭିଡ୍ ମୃତ୍ୟୁ ପ୍ରମାଣପତ୍ର ସହ ଲୋକେ ଆସନ୍ତି ତେବେ ଏହାର ଯାଞ୍ଚ କରାଯିବ।

Related Posts