ହରିଶ ସାଲଭେଙ୍କ ବଡ ବୟାନ – କିଛି ସପ୍ତାହ ମଧ୍ୟରେ ଭାରତ ଫେରିବ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଘୋଟାଲାର ଆରୋପୀ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିର ଭାରତ ଫେରିବାକୁ ନେଇ ବରିଷ୍ଠ ଆଡଭୋକେଟ ହରିଶ ସାଲଭେ ଏକ ବଡ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଆଉ କିଛି ସପ୍ତାହ ମଧ୍ୟରେ ଚୋକସିକୁ ଡୋମିନିକା ରୁ ଭାରତକୁ ଅଣାଯିବ। ଏହା ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ହରିଶ ସାଲଭେ ଭାରତ ସରକାରଙ୍କ ତରଫରୁ ଡୋମିନିକାରେ ପକ୍ଷ ରଖିପାରନ୍ତି । ତେବେ ଏ ସମ୍ପର୍କରେ ସେ କହିଛନ୍ତି ଯେ ଭାରତ ସରକାର ଡୋମିନିକା କୋର୍ଟରେ କୌଣସି ପାର୍ଟି ନୁହଁନ୍ତି ବରଂ ଡୋମିନିକା ପ୍ରଶାସନକୁ ଏହି ମାମଲାରେ ସାହାଯ୍ୟ କରୁଛନ୍ତି। ନିକଟରେ ଏକ ଟିଭି ଚ୍ୟାନେଲ ସାକ୍ଷାତକାରରେ ସାଲଭେ କହିଛନ୍ତି ଯେ ଚୋକସିଙ୍କୁ କିଛି ସପ୍ତାହ ମଧ୍ୟରେ ଭାରତକୁ ଅଣାଯିବ। ସାଲଭେ କହିଛନ୍ତି ଯେ ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ମାମଲାରେ କେଉଁ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଭାରତ ସରକାରଙ୍କୁ ପରାମର୍ଶ ଦେଉଛନ୍ତି । ତେବେ ଶୁଣାଣି ସମୟରେ ଯଦି ଭାରତକୁ ସୁଯୋଗ ଦିଆଯାଏ ଏବଂ ଡୋମିନିକାର ଆଟର୍ଣ୍ଣି ଜେନେରାଲ ହରିଶ ସାଲଭେଙ୍କ ଉପସ୍ଥିତି ପାଇଁ ସହମତି ଜଣାନ୍ତି ତେବେ ସାଲଭେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ ବୋଲି କହିଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ମେହୁଲ ଚୋକସିଙ୍କୁ ମେ ୨୩ରେ ଗିରଫ କରାଯାଇଥିଲା। ଡୋମିନିକାର କୋର୍ଟ ଚୋକସିଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ । ଅନ୍ୟପକ୍ଷରେ ମେହୁଲ ଚୋକସିଙ୍କୁ ଭାରତ ଫେରାଇ ଆଣିବା ପାଇଁ ଭାରତରୁ ଡୋମିନିକା ଯାଇଥିବା ଏକ ପ୍ରତିନିଧି ଦଳ ଜୁନ୍ ୪ ତାରିଖରେ ଭାରତକୁ ଫେରି ଆସିଥିଲେ।

Related Posts