ବିଧାନସଭା ନୁହେଁ ଧର୍ମଶାଳା

ବିଧାନସଭାକୁ ଧର୍ମଶାଳା ଭାବିନେଇଛନ୍ତି ସରକାର । ନିଜ ମୁତାବକ ବିଧାନସଭାକୁ ଚଲାଇବାକୁ ଚାହୁଁଥିବା ଜଣାପଡ଼ୁଛି । ସଂଖ୍ୟା ବଳର ପ୍ରଭାବ ଦେଖାଇ ନିର୍ଦ୍ଧାରିତ କାର୍ଯ୍ୟଦିବସ ପୂର୍ବରୁ ବିଧାନସଭାକୁ ବନ୍ଦ କରାଯାଉଛି । ଏକଥା ଏଇଥିପାଇଁ କୁହାଯାଉଛି ଯେ ପ୍ରତି ଥର ଭଳି ଏଥର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ନିର୍ଦ୍ଧାରିତ ସମୟର ୧୭ ଦିନ ଆଗରୁ ବିଧାନସଭାର ଶୀତ ଅଧିବେଶନ ବନ୍ଦ କରାଯାଇଛି । ନଭେମ୍ବର ୧୩ରେ ଆରମ୍ଭ ହୋଇଥିବା ଚଳିତ ବିଧାନସଭାର ଦ୍ୱିତୀୟ ଅଧିବେଶନ ମାତ୍ର ୧୩ ଦିନ ଚାଲିଥିବା ବେଳେ ଏହାକୁ ବନ୍ଦ କରାଯିବା ସମସ୍ତଙ୍କୁ ଚକିତ କରିଛି । ନିଜକୁ ସୁହାଇଲା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବା ଏବଂ ନିଜେ ବାହା ବାହା ନେଇପାରୁଥିବା ବିଷୟରେ ଆଲୋଚନା କରିବା ପରେ ଗୃହକୁ ମୁଲତବୀ କରିବାକୁ ନିଷ୍ପତ୍ତି ନିଆଯାଉଛି । ବିରୋଧୀଙ୍କ ପ୍ରସଙ୍ଗ ଉପରେ ଆଲୋଚନାକୁ ସରକାର ଗ୍ରହଣ ନକରି ସଂଖ୍ୟା ବଳର ପ୍ରଭାବ ଦେଖାଇ ଚାପି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

ଗୃହରେ ଆଲୋଚନା ପାଇଁ ବହୁ ପ୍ରସଙ୍ଗ ଥିଲେ ବୁଧାନସଭାକୁ ବନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି ବିରୋଧୀ କହିଛନ୍ତି । ସରକାରଙ୍କ ସମାଲୋଚନା କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେପି । ବିରୋଧୀ ଦଳଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇ ନାହିଁ । ଆଉ ଯାହା ବି ହୋଇଛି ତାହା ସଠିକ ଢ଼ଙ୍ଗରେ ହୋଇନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସ୍ମିତାରାଣୀ, ଟୋକନ ଅବ୍ୟବସ୍ଥା ପ୍ରସଙ୍ଗ ଉପରେ ସରକାର ଆଲୋଚନା କରିନାହାଁନ୍ତି । ବିରୋଧୀ ଦଳର ଉପନେତା ବିଷ୍ଷୁ ଚରଣ ସେଠୀ ରାଜ୍ୟ ସରକାରଙ୍କୁ ନିର୍ଲଜ ସରକାର ବୋଲି କହିବାକୁ ପଛାଇ ନାହାନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ଶୀତକାଳୀନ ଅଧିବେଶନ ବନ୍ଦ କରିବା ଅଗଣତାନ୍ତ୍ରିକ ଓ ରାଜ୍ୟ ବିରୋଧୀ, ଏହା ସମ୍ପୂର୍ଣ୍ଣ ରୂପେ ମନମାନି ଓ ସ୍ୱେଚ୍ଛାଚାରିତାର ପରିଚୟ ଦେଉଥିବା କହିଛନ୍ତି ବିଷ୍ଣୁ । ନିର୍ଦ୍ଦିଷ୍ଟ ଦଳର ଚାପରେ ବାଚସ୍ପତି ସୂର୍ଯ୍ୟ ପାତ୍ର ଗୃହକୁ ବନ୍ଦ ରଖିଛନ୍ତି । ସରକାର ହକିକୁ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ପିଆଜକୁ ଦେଉନାହାଁନ୍ତି ବୋଲି ବିରୋଧୀ ଦଳ ଉପ-ନେତା ବିଷ୍ଣୁ ସେଠୀ ସରକାରଙ୍କ ଉପରେ ବିଷ ଓଗାଳିଛନ୍ତି ।

୧୭ ଦିନ ଆଗରୁ କାହିଁକି ବନ୍ଦ କରାଗଲା ବିଧାନସଭାର ଶୀତ ଅଧିବେଶନ ?

ଯଦି ବିଧାନସଭାରେ କିଛି ସେଭଳି ଆଲୋଚନା ନଥିଲା ତେବେ ଅଧିବେଶନର କାର୍ଯ୍ୟଦିବସକୁ ଏତେ ଲମ୍ବା ରଖାଯାଉଥିଲା କାହିଁକି ?

ମାତ୍ର 13ଟି କାର୍ଯ୍ୟ ଦିବସରେ କ’ଣ ସବୁ ସମସ୍ୟାର ସମାଧାନ ହୋଇଗଲା ?

ନା ସରକାର ବ୍ୟାକ୍‌ଫୁଟ୍‌ରେ ଥିବା ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଡରିଗଲେ ?

ସରକାରଙ୍କ ଉପରେ ଭାରି ପଡ଼ିଲା କି ବିରୋଧୀଙ୍କ ସଂସ୍କୃତି ମନ୍ତ୍ରୀଙ୍କ ହାଇଦ୍ରାବାଦ ବୁଲା ପ୍ରସଙ୍ଗ ?

ଅର୍ଥାତ ସରକାର ବିରୋଧୀଙ୍କ ପ୍ରସଙ୍ଗ କିମ୍ବା ଦାବିକୁ ଆଲୋଚନା କରିବାକୁ ନାରାଜ

ସୂଚନା ଅନୁସାରେ ଗତକାଲି ଗୃହ ମୁଲତବୀ ନେଇ ଶାସକ ଦଳ ପକ୍ଷରୁ ପ୍ରସ୍ତାବ ଆସିବା ପରେ ପ୍ରଥମେ ଏହାକୁ ତୀବ୍ର ବିରୋଧ କରିଥିଲେ ବିରୋଧୀ । ବିଜେପି ସଦସ୍ୟ କକ୍ଷ ତ୍ୟାଗ ବି କରିଥିଲେ । ତେବେ କୌଣସି ସରକାରୀ କାର୍ଯ୍ୟ ଆଉ ନଥିବାରୁ ଗୃହକୁ ମୁଲତବୀ ରଖିବାକୁ ଶାସକ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଗତ କରିଥିଲେ । ଏହା ଧ୍ୱନି ମତରେ ପାରିତ ହେବା ପରେ ଗୃହର ନେତା ମୁଖ୍ୟମନ୍ତ୍ରୀ ଉଦ୍‌ଯାପନୀ ଭାଷଣ ଦେଇଥିଲେ । ଏହି ଅବସରରେ ଗୃହରେ ଆଗାମୀ ହକି ବିଶ୍ୱକପ୍ ପାଇଁ ଯେଉଁ ସଂକଳ୍ପ ପାରିତ ହୋଇଛି, ସେଥିପାଇଁ ସେ ସମସ୍ତଙ୍କୁ ବିଶେଷ ଧନ୍ୟବାଦ ଦେଇଥିଲେ । ଏହା ପରେ ଗୁରୁବାର ବାଚସ୍ପତି ଅନିର୍ଦ୍ଦିଷ୍ଟକାଳ ପାଇଁ ବିଧାନସଭା ଅଧିବେଶନକୁ ମୁଲତବୀ ଘୋଷଣା କରିଥିଲେ ।

ନଭେମ୍ବର ୧୩ ତାରିଖରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବାର କଥା । ଚଳିତ ଅଧିବେଶନରେ ମୋଟ ୧୩ଟି କାର୍ଯ୍ୟଦିବସ ହୋଇଥିଲା, ଯେଉଁଥିରେ ୧୨ଟି ସରକାରୀ କାର୍ଯ୍ୟଦିବସ ରହିଥିଲା । ଏହି ଅଧିବେଶନରେ ମୋଟ ୫ଟି ବିଲ୍ ଆଗତ ହୋଇ ଗୃହରେ ଅନୁମୋଦନ ହୋଇଥିବା ବେଳେ ୧୬୩୬ଟି ଅଣତାରକା ପ୍ରଶ୍ନ ଓ ୨୨୬୧ଟି ତାରକା ପ୍ରଶ୍ନର ଉତ୍ତର ସରକାର ଗୃହରେ ଦେଇଥିଲେ । ଅଧିବେଶନରେ ମୋଟ ୧୩ଟି ମୁଲତବୀ ପ୍ରସ୍ତାବ ଦିଆଯାଇଥିବା ବେଳେ ସେଥିରୁ ୫ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ୫ଟି ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇଥିଲା । ୨ଟି ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଥିଲା ଓ ଗୋଟିଏ ସଂକଳ୍ପ ପାରିତ ହୋଇଥିଲା ।

Related Posts