ସାରା ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ୱାନ ନେସନ୍ ୱାନ ରାସନ୍ କାର୍ଡ ବ୍ୟବସ୍ଥା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଜାତୀୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ସମଗ୍ର ରାଜ୍ୟରେ ଆରମ୍ଭ ହେଲା ୱାନ ନେସନ୍ ୱାନ ରାସନ୍ କାର୍ଡ ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଗୁରୁବାର ଦିନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ସହ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଭିଟାମିନଯୁକ୍ତ ଚାଉଳ ପ୍ରଦାନ (ପାଇଲଟ୍ ପ୍ରକଳ୍ପ) କୁ ମଧ୍ୟ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୯ ସେପ୍ଟେମ୍ବରରୁ ରାଜଧାନୀ ଭୁବନେଶ୍ୱରରେ ଏହି ଯୋଜନାକୁ ପାଇଲଟ୍ ପ୍ରକଳ୍ପ ଭାବେ ଲାଗୁ ହୋଇଥିଲା। ବର୍ତ୍ତମାନ ଦୁଇ ବର୍ଷ ପରେ ସମଗ୍ର ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି । ଏଥିରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପ୍ରାୟ ୯୨ଲକ୍ଷ ହିତାଧିକାରୀ ଉପକୃତ ହେବେ ।

ଏହାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସ୍ୱାଭିମାନର ସହ ବଂଚିବା ସମସ୍ତଙ୍କ ଅଧିକାର ଓ ଗରିବ ଲୋକଙ୍କୁ ଏହି ଅଧିକାରରୁ କେହି ବଂଚିତ କରିପାରିବେ ନାହିଁ। ୱାନ୍ ନେସନ୍ ୱାନ ରାସନ କାର୍ଡ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟ ବାହାରର ଲୋକ ଓଡ଼ିଶାରେ ଏବଂ ଓଡ଼ିଶାର ଲୋକେ ରାଜ୍ୟ ବାହାରେ ତାଙ୍କ ପସନ୍ଦର ଦୋକାନରୁ ରେସନ୍ ସାମଗ୍ରୀ ପାଇପାରିବେ। ଖାଉଟିଙ୍କୁ ମିଳୁଥିବା ସରକାରୀ ଚାଉଳ ବା ଗହମର ମାସିକ କୋଟା ପାଇବାକୁ ଏଣିକି ନିର୍ଦ୍ଦିଷ୍ଟ ଡିଲରଙ୍କ ଉପରେ ନିର୍ଭର କରିବାକୁ ପଡିବନି । ଖାଉଟିମାନେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରାସନ କାର୍ଡରେ ରାଜ୍ୟ କିମ୍ବା ଦେଶ ଭିତରେ ଯେ କୌଣସି ଚିହ୍ନିତ ଡିଲରଙ୍କଠାରୁ ମାସିକ ଖାଦ୍ୟ ସାମଗ୍ରୀ ପାଇପାରିବେ ।

ଓଡ଼ିଶାର ୧୦,୫୭୮ଟି ରାସନ ଦୋକାନରେ ସୁଲଭ ମୂଲ୍ୟରେ ହିତାଧିକାରୀମାନଙ୍କୁ ଏହି ସୁବିଧା ମିଳିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା ରାଜ୍ୟ ସରକାରଙ୍କ ସବୁଠୁ ବଡ଼ କଲ୍ୟାଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ୯୩ଲକ୍ଷ ପରିବାର ଓ ସାଢ଼େ ୩କୋଟି ଲୋକ ଉପକୃତ ହେଉଛନ୍ତି। ୨୦୦୮ରେ ରାଜ୍ୟ ସରକାର କେଜି ୨ଟଙ୍କା ଦରରେ ଏବଂ ୨୦୧୩ରୁ କିଲୋ ପିଛା ୧ଟଙ୍କା ଦରରେ ଚାଉଳ ଯୋଗାଇ ଆସୁଛନ୍ତି। ୧ଟଙ୍କାରେ ଚାଉଳ ଯୋଗାଣ ଦ୍ୱାରା ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ଅଧିକ ସୁଦୃଢ଼ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related Posts