ସୀମା ଟପିଲା ତାଲିବାନ୍‌ଙ୍କ ବର୍ବରତା : ସାମ୍ବାଦିକମାନଙ୍କୁ ଅଟକ ରଖି ନିର୍ଦ୍ଧୁମ ମାଡ ମାରିଲେ ତାଲିବାନ୍ ସେନା

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ବର୍ବରତାର ଚିତ୍ର ଓ ଭିଡିଓ । କେତେବେଳେ ମହିଳାଙ୍କୁ ଜୀବନରୁ ମାରିଦେଲେଣି ତ ଆଉ କେତେବେଳେ ସାଧାରଣ ଲୋକଙ୍କ ଉପରକୁ ଗୁଳି ମାଡ଼ ଏଭଳି ଅନେକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରଠାରୁ ସାଧାରଣ ଲୋକେ ଏବେ ଚିନ୍ତିତ । ଗତ କିଛି ଦିନ ହେବ କାବୁଲ ସମେତ ବିଭିନ୍ନ ସହରରେ ତାଲିବାନ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହିଳାମାନେ ନିର୍ଭୟରେ ଏହି ପ୍ରଦର୍ଶନକୁ ଆଗେଇ ନେଉଛନ୍ତି । ଏବଂ ଏହି ବିକ୍ଷୋଭ ପ୍ରଦର୍ଶନ କରୁଥିବା ମହିଳା ଏବଂ ସାଧାରଣ ଜନତାଙ୍କ କଥାକୁ ରିପୋର୍ଟିଂ କରୁଥିବା ସାମ୍ବାଦିକଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଛି ତାଲିବାନ । ଆଫଗାନିସ୍ତାନରେ ତାଲିବାନ୍ ଲଢୁଆମାନେ ସାମ୍ବାଦିକମାନଙ୍କୁ ଅଟକ ରଖି ମାରପିଟ୍ କରୁଛନ୍ତି। କାବୁଲ୍‌ରେ ଚାଲିଥିବା ତାଲିବାନ୍‌ ବିରୋଧୀ ପ୍ରତିବାଦ ଉପରେ ରିପୋର୍ଟ କରୁଥିବା ପାଖାପାଖି ୧୪ଜଣ ସାମ୍ବାଦିକଙ୍କୁ ଗତ ଦୁଇ ଦିନ ହେଲା ତାଲିବ୍‌ମାନେ ଅଟକ ରଖି ପରେ ଛାଡ଼ି ଦେଇଥିବା ନେଇ ସୂଚନା ମିଳିଛି। ଅଟକ ଥିବା ପାଖାପାଖି ୬ଜଣ ସାମ୍ବାଦିଙ୍କୁ ନିର୍ଦ୍ଧୁମ ମାଡ଼ ଦିଆଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। 

‘ବିବିସି’ ସମତେ କେତେକ ସାମ୍ବାଦିକମାନଙ୍କୁ ଗତକାଲି ଚାଲିଥିବା ପ୍ରତିବାଦର ଭିଡିଓ ଉତ୍ତୋଳନ କରିବାରୁ ଆକ୍ରମଣ କରାଯାଇଛି । ‘ଏତିଲାତ୍ରୋଜ୍‌’ ଏବଂ ‘ଲସ୍‌ ଏଞେଜଲ୍‌ସ୍‌ ଟାଇମ୍ସ୍‌’ ରିପୋର୍ଟ ଅନୁସାରେ, ତାଲିବାନ ବିରୋଧରେ ପ୍ରତିବାଦ କରୁଥିବା ଆନ୍ଦୋଳନର ‘କଭରେଜ୍’ କରିଥିବାରୁ ବୁଧବାର ଦିନ ଦୈନିକ ସମ୍ବାଦପତ୍ର ‘ଏତିଲାତ୍ରୋଜ୍‌’ର ‘ଭିଡିଓ ଏଡିଟର୍‌’ ତାକ୍ବି ଦରିୟାବି ଏବଂ ‘ଭିଡିଓ ରିପୋର୍ଟର’ ନେମାତୁଲ୍ଲା ନକ୍‌ଦିଙ୍କୁ ତାଲିବାନ୍ ସେନା ମନେ ଅଟକ ରଖିଥିଲେ। ତା’ପରେ ଦୁହିଁଙ୍କୁ ସ୍ଥାନୀୟ ଥାନାକୁ ନିଆଯାଇ ଦୁଇଟି ଅଲଗା ଅଲଗା ରୁମ୍ ରେ ରଖାଯାଇ ଅକଥନୀୟ ଅତ୍ୟାଚାର କରାଯାଇଥିଲା। 

ସେମାନଙ୍କୁ ଛାଡ଼ି ଦେବା ଲାଗି ଅନୁରୋଧ କରିବା ପାଇଁ ଯାଇଥିବା ‘ଏତିଲାତ୍ରୋଜ୍‌’ ଅନ୍ୟ ଦୁଇଜଣ ସାମ୍ବାଦିକଙ୍କୁ ମଧ୍ୟ ଅଟକ ରଖାଯାଇଥିବା ନେଇ ସୂଚନା ରହିଛି। ସାମ୍ବାଦିକମାନଙ୍କୁ ହାଜତରେ ନିର୍ଯାତନା ଦିଆଯାଇଥିବା କଥା ‘ଲସ୍‌ ଏଞେଜଲ୍‌ସ୍‌ ଟାଇମ୍ସ୍‌’ ମଧ୍ୟ ରିପୋର୍ଟ କରିଛି। ସେପଟେ ଏହି ବର୍ବରତାକୁ ତୁରନ୍ତ ବନ୍ଦ କରିବା ସହ ସମ୍ବାଦିକ ମାନଙ୍କୁ ଅବାଧ ରିପୋର୍ଟିଂ କରିବାକୁ ଅନୁମତି ଦେବା ପାଇଁ ବୁଧବାର ଦିନ ‘କମିଟି ଟୁ ପ୍ରୋଟେକ୍ଟ୍‌ ଜର୍ଣ୍ଣାଲିଷ୍ଟ୍‌’ ପକ୍ଷରୁ ଦାବି କରାଯାଇଛି। 

Related Posts