
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପୋଷ୍ଟର ଲଗାଇବା ଘଟଣାରେ ଗିରଫଦାରୀ ଏବେ ମୋଦୀ ସରକାରଙ୍କ ଚିନ୍ତା ବଢାଇଛି। ବିରୋଧୀ ଏହି ଘଟଣାକୁ ନେଇ ଏବେ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। “ଏମିତିକି ମୋତେ ବି ଗିରଫ କରନ୍ତୁ” ଏକ କ୍ୟାମ୍ପେନ୍ ମଧ୍ୟ ଆରମ୍ଭ କରିଛନ୍ତି। ଘଟଣା ଏବେ ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି। ଦିଲ୍ଲୀର ଜଣେ ଓକିଲ ଏ ନେଇ ସୁପ୍ରିମକୋର୍ଟରେ PIL ଦାଏର କରିଛନ୍ତି। ଏହି ଗିରଫଦାରୀକୁ ବେଆଇନ ଦର୍ଶାଇ ଆବେଦନକାରୀ ପ୍ରଦିପ କୁମାର ଯାଦବ କୋର୍ଟଙ୍କୁ କହିଛନ୍ତି ଯେ ଦିଲ୍ଲୀ ପୋଲିସ କମିଶନର ତଥା ୟୁପି ଡିଜିପିଙ୍କୁ ଏହି ଘଟଣାରେ ଆଉ FIR ରୁଜୁ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୨୫ ଜଣଙ୍କ ନାଁରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି। ଆବେଦନ ଅନୁଯାୟୀ, ପୋଷ୍ଟର ଲଗାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଧିକାଂଶ ଲୋକ ଦିନ ମଜୁରିଆ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଲଗାଯାଇଥିବା ଏହି ପୋଷ୍ଟରରେ ଲେଖାଥିଲା,ଯେ ‘ମୋଦୀ ଜୀ ଆମ ପିଲାମାନଙ୍କ ଟିକା କାହିଁକି ବିଦେଶକୁ ପଠାଇଲେ?’ ଏହି ଘଟଣାରେ ପୋଲିସ 24 ଜଣଙ୍କୁ ଗିରଫ କରିଛି ଏବଂ ଅଧିକାଂଶଙ୍କ ଜାମିନ ନାମଞ୍ଜୁର କରାଯାଇଥିବା ସୂଚନା ମିଳିଛି। ଏହି ମାମଲାରେ ଦାୟର FIR ଗୁଡିକ ମୁଖ୍ୟତ ଆଇପିସିର ଧାରା 188 (ସରକାରୀ କର୍ମଚାରୀଙ୍କ ଦ୍ବାରା ଘୋଷିତ ଆଦେଶକୁ ଅବମାନନା), ଧାରା 269 (ଜୀବନ ପ୍ରତି ବିପଦ ଥିବା କୌଣସି ରୋଗର ସଂକ୍ରମଣ ବିସ୍ତାର), ଧାରା 34 ସହିତ ଜଡିତ । ଦିଲ୍ଲୀର ପ୍ରିଭେନସନ୍ ଅଫ୍ ଡିଫେସମେଣ୍ଟ ଅଫ୍ ପ୍ରପର୍ଟି ଆକ୍ଟ, ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ଏପିଡେମିକ୍ ଆକ୍ଟ ଭଳି ଆଇନ ଅନୁଯାୟୀ ଏହି ଗିରଫଦାରୀ ହୋଇଛି। ଗିରଫ ପରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ବିରୋଧୀ ଦଳ ଗୁଡ଼ିକ କଡା ସମାଲୋଚନା କରିଛନ୍ତି।