ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ପୁରୀ(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେପଟେ ରାଜଭବନରୁ ସନ୍ଧ୍ୟା ପ୍ରାୟ ୪ଟା ୫୦ରେ କଡ଼ା ସୁରକ୍ଷା ଭିତରେ ବାହାରି ସେ ୧୦ ମିନିଟ ପରେ ସିଂହଦ୍ବାରରେ ପହଞ୍ଚିଥିଲେ। ସିଂହଦ୍ବାରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱାଗତ କରାଯାଇଥିଲା। ତା’ପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ସେବାୟତମାନେ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପାଛୋଟି ନେଇଥିଲେ। ଶେଷରେ ରାଷ୍ଟ୍ରପତି ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ତାଙ୍କ ସହିତ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ, ଝିଅ ଓ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି।

୨ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚି ସେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ଅଭିମୁଖେ ବାହାରି ଥିଲେ। ସେ ସ୍ଥାନୀୟ ତାଳବଣିଆ ହେଲିପ୍ୟାଡ୍ରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ଭିତରେ ଏକ ସ୍ବତନ୍ତ୍ର କାରକେଡ୍ରେ ରାଜଭବନ ଯାଇଥିଲେ। ରାଷ୍ଟ୍ରପତିଙ୍କ ସହିତ ତାଙ୍କର ଧର୍ମପତ୍ନୀ ସବିତା କୋବିନ୍ଦ ମଧ୍ୟ ଅଛନ୍ତି। ସେହିପରି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଅବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ଅଛନ୍ତି। ଫେବ୍ରୁଆରି ୨୦ରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିଠାରେ ଆୟୋଜିତ ଗୌଡୀୟ ମିସନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଶୁଭାରମ୍ଭ ଉତ୍ସବରେ ଯୋଗଦେବେ।

Related Posts