
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ଇନ୍ଧନ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିଥିବାର ସୂଚନା ମିଳିଛି । ତେବେ ଦିନକୁ ଦିନ ବଢ଼ୁଥିବା ତୈଳ ଦର ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇନ୍ଧନ ଉପରେ ଟିକସ ହ୍ରାସ କରିବାକୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଛନ୍ତି । ସେପଟେ ଇନ୍ଧନ ମୂଲ୍ୟ ବୃଦ୍ଧି ଉପରେ ଏହା ତାଙ୍କର ପ୍ରଥମ ପ୍ରତିକ୍ରିୟା ଥିଲା । ସେ କହିଛନ୍ତି ଯେ ଗତ ନଭେମ୍ବରରେ ମୂଲ୍ୟ ହ୍ରାସ କରିନଥିବା ରାଜ୍ୟଗୁଡିକ ବର୍ତ୍ତମାନ କରିବା ଉଚିତ୍। ସେ କହିଛନ୍ତି ଯେ ତାମିଲନାଡୁ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ମହାରାଷ୍ଟ୍ର, କେରଳ ଏବଂ ଝାଡଖଣ୍ଡ ଭଳି ରାଜ୍ୟ ଇନ୍ଧନ ଉପରେ ଟିକସ ହ୍ରାସ କରିନାହାଁନ୍ତି ଏବଂ ବର୍ତ୍ତମାନ ସେମାନେ ଏହାକୁ ହ୍ରାସ କରିବା ଉଚିତ।
ଗତ ନଭେମ୍ବରରେ କେନ୍ଦ୍ର ଇନ୍ଧନ ମୂଲ୍ୟ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଛି ଏବଂ ଟିକସ ହ୍ରାସ କରିବାକୁ ମଧ୍ୟ ରାଜ୍ୟମାନଙ୍କୁ ଅନୁରୋଧ କରିଛି। ମୁଁ କାହାକୁ ସମାଲୋଚନା କରୁନାହିଁ କିନ୍ତୁ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଝାଡଖଣ୍ଡ, ତାମିଲନାଡୁରେ ବର୍ତ୍ତମାନ ଭାଟ୍ ହ୍ରାସ କରିବାକୁ ଏବଂ ଲାଭ ପ୍ରଦାନ କରିବାକୁ ଅନୁରୋଧ କରୁଛି। ସେ କହିଛନ୍ତି ଯେ ଯୁଦ୍ଧ ପରିସ୍ଥିତି ଦ୍ୱାରା ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଛି, ଏଭଳି ପରିବେଶରେ ଦିନକୁ ଦିନ ଚ୍ୟାଲେଞ୍ଜ ବଢ଼ୁଛି। ବିଶ୍ୱ ସଙ୍କଟ ମଧ୍ୟରେ ତେଲ ଦର ଦ୍ରୁତ ଗତିରେ ବଢ଼ୁଛି । ଏଭଳି ବିଶ୍ୱସ୍ତରୀୟ ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରଖନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।