
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଝାଡ଼ଖଣ୍ଡରେ ଦେଓଘର ବିମାନବନ୍ଦର ଏବଂ ଏମ୍ସ ଉଦଘାଟନ କରିବା ସହ ଅନେକପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାମନ୍ତ୍ରୀ । ତେବେ ଆଜି ଦିନ ପ୍ରାୟ ୧ଟା ୧୫ରେ ଦେଓଘରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ସେ ଏଠାରେ ନୂତନ ଭାବେ ନିର୍ମିତ ଦେଓଘର ବିମାନବନ୍ଦର ଏବଂ ଏମ୍ସର ଉଦଘାଟନ କରିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବ୍ୟତୀତ ଝାଡଖଣ୍ଡର ରାଜ୍ୟପାଳ ରମେଶ ବୈସ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପସ୍ଥିତ ଥିଲେ। ସେପଟେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେ ଦେଓଘର ବିମାନବନ୍ଦରର ସ୍ୱପ୍ନ ଦେଖିଥିଲୁ, ବର୍ତ୍ତମାନ ଏହା ପୂରଣ ହେଉଛି।
ଏହି ପ୍ରକଳ୍ପଗୁଡ଼ିକ ଲୋକଙ୍କ ଜୀବନକୁ ସହଜ କରିବ। ୧୬,୮୦୦କୋଟି ଟଙ୍କା ମୂଲ୍ୟର ବିକାଶ ପ୍ରକଳ୍ପଗୁଡ଼ିକ ରାଜ୍ୟର ସଂଯୋଗ, ପର୍ଯ୍ୟଟନ ଏବଂ ବ୍ୟବସାୟିକ ଆଶାକୁ ସୁଦୃଢ଼ କରିବ। ବାବାଙ୍କ ଧାମକୁ ଆସିବା ପରେ ସମସ୍ତଙ୍କ ମନ ଖୁସି ହୋଇଯାଏ। ଆଜି ଆମ ସମସ୍ତଙ୍କୁ ଦେଓଘରରୁ ଝାଡଖଣ୍ଡର ବିକାଶ ଯାତ୍ରାକୁ ଆରମ୍ଭ କରିବାର ସୌଭାଗ୍ୟ ମିଳିଛି। ବାବା ବୈଦ୍ୟନାଥଙ୍କ ଆଶୀର୍ବାଦରେ ୧୬,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।