ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାରେ ନାଁ ନେଉନି । ଉଭୟ ପରସ୍ପରଙ୍କୁ କଡ଼ା ଜବାବ ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହିତ ପ୍ରାୟ ୩୫ ମିନିଟ ଫୋନରେ କଥା ହୋଇଥିବାର ସୂଚନା ମିଳିଛି । ଏହି ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହା ସହ ପ୍ରଧାନମନ୍ତ୍ରୀ ଯୁଦ୍ଧ ପ୍ରସଙ୍ଗରେ ମଧ୍ୟ ଜେଲେନସ୍କିଙ୍କ ସହ ଆଲୋଚନା କରିଥିବାର ଦେଖିବାକୁ ମିଳିଛି । ସେପଟେ ପୂର୍ବାହ୍ନ ୧୧ଟା ୩୦ ରୁ ଉଭୟ ୧୨ଟା ୫ ପର୍ଯ୍ୟନ୍ତ ଉଭୟ କଥାବାର୍ତ୍ତା ହୋଇଛନ୍ତି । ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଆଲୋଚନାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେବା ପରେ ପ୍ରଧାନମନ୍ତ୍ରୀ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନରେ କଥା ହେବେ ବୋଲି ସୂଚନା ମିଳିଛି ।
