ଚାଷୀଙ୍କ ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ କରନ୍ତୁ ନଚେତ ସୀମାପାର ଆତଙ୍କବାଦ ବୃଦ୍ଧି ପାଇବ, ମୋଦିଙ୍କୁ ଅମରିନ୍ଦର୍ ସିଂ ଙ୍କ ପରାମର୍ଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଦୀର୍ଘ ଦିନ ହେବ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଅନେକ ରାଉଣ୍ଡର ବୈଠକ ପରେ ମଧ୍ୟ ସମାଧାନର ରାସ୍ତା ବାହାରି ପାରି ନାହିଁ। ବର୍ତ୍ତମାନ ମୌସୁମୀ ଅଧିବେଶନ ସମୟରେ ସଂସଦ ବାହାରେ ଚାଷୀ ମାନେ ଧାରଣା ଦେବା ନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରି ସାରିଛନ୍ତି। ପିଟିଆଇ ରିପୋର୍ଟ ଅନୁଯାୟୀ ଏହା ମଧ୍ୟରେ ବର୍ଡର ଟେରରିଜମ୍ ବିପଦକୁ ନଜରରେ ରଖି ନୂତନ କୃଷି ଆଇନକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଚାଷୀ ମାନଙ୍କ ସହ ଆଲୋଚନା କରିବା ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି ।

 ମୋଦୀଙ୍କୁ ଲେଖିଥିବା ଏକ ପତ୍ରରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବରୁ ଏକ ସର୍ବଦଳୀୟ ପ୍ରତିନିଧୀ ଦଳକୁ ଭେଟି ତାଙ୍କୁ କୃଷକଙ୍କ ବିରୋଧର ଏକ ସ୍ଥାୟୀ ତଥା ବନ୍ଧୁତ୍ୱପୂର୍ଣ୍ଣ ସମାଧାନର ରାସ୍ତା ଖୋଜିବାକୁ ପ୍ରସ୍ତାବ ଦେଇଛନ୍ତି।  ସେ ଟୁଇଟ୍ କରି କହିଛନ୍ତି ଯେ, ରାଜ୍ୟର ଗର୍ବିତ, ପରିଶ୍ରମୀ କୃଷକମାନଙ୍କ ପାଇଁ ଆମେ ସର୍ବଦା ଋଣୀ।

ପ୍ରକାଶ ଥାଉକି ପଞ୍ଜାବ ଏବଂ ହରିୟାଣାର ହଜାର ହଜାର କୃଷକ ନଭେମ୍ବର ମାସ ଠାରୁ ରାଜଧାନୀ ଦିଲ୍ଲୀ ସୀମାରେ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ରଦ୍ଦ କରିବା ଦାବି ଆନ୍ଦୋଳନ କରୁଛନ୍ତି।

 ଏହା ପୂର୍ବରୁ କୃଷି ଆଇନକୁ ଦୁଇ ବର୍ଷ ପାଇଁ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏକ ପ୍ରସ୍ତାବକୁ କୃଷକମାନେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏହା ପର ଠାରୁ ସମାଧାନ ପାଇଁ ଚାଷୀ ନେତା ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।  ଶେଷ ଥର ପାଇଁ ଉଭୟ ପକ୍ଷ ଜାନୁଆରୀ ୨୨ ରେ ଆଲୋଚନା କରି ଥିଲେ। ତା ପର ଠାରୁ ଅଧିକାଂଶ କୃଷକ ନେତା କହିଛନ୍ତି ଯେ ସେମାନେ ପୁନର୍ବାର ସରକାରଙ୍କ ସହ ଆଲୋଚନା କରିବା ପାଇଁ ଇଚ୍ଛୁକ।  କିନ୍ତୁ କେନ୍ଦ୍ର ସରକାର ସ୍ପଷ୍ଟ କରି ଦେଇଛନ୍ତି କୃଷି ଆଇନ ରଦ୍ଦ କରିବା ବ୍ୟତୀତ ଅନ୍ୟ କୌଣସି ଦିଗ ଉପରେ ଆଲୋଚନା ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। 

 ଏପଟେ କ୍ୟାପଟେନ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ ଅନୁଯାୟୀ ଆଇଏସଆଇ ସମର୍ଥିତ ଗୋଷ୍ଠୀ ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପର ଧମକ ଦିଆଯାଇଛି। କୃଷି ଆଇନକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ କୃଷକ ନେତାଙ୍କୁ ଟାର୍ଗେଟ କରିବା ପାଇଁ “ବିଚ୍ଛିନ୍ନତାବାଦୀ ଖାଲିସ୍ତାନୀ ସଙ୍ଗଠନ ” ଦ୍ୱାରା କରାଯାଇଥିବା ଯୋଜନା ବିଷୟରେ ସେ ଚେତାବନୀ ଦେଇଛନ୍ତି।

 ପିଟିଆଇ ରିପୋର୍ଟ ଅନୁଯାୟୀ କ୍ୟାପଟେନ୍ ଲେଖିଛନ୍ତି, “ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି କିନ୍ତୁ ମୁଁ ଆଶଙ୍କା କରୁଛି ଯେ ଉତ୍ତେଜନାମୂଳକ ବିବୃତ୍ତି, କିଛି ରାଜନୈତିକ ଦଳର ଆଚରଣ ଏବଂ ଭାବପ୍ରବଣତା ଦ୍ଵିରା ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ପାରେ ଏବଂ ଏହା ମଧ୍ୟ ରାଜ୍ୟରେ କଠିନ ପରିଶ୍ରମ କରୁଥିବା ଚାଷୀଙ୍କ ଶାନ୍ତି ପାଇଁ ଅପୂରଣୀୟ କ୍ଷତି ଘଟାଇପାରେ।”  

 ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଦର୍ଶାଇ ସିଂ ଦାବି କରିଛନ୍ତି ଯେ ଆଇଏସଆଇ ନେତୃତ୍ୱାଧୀନ ଖାଲିସ୍ତାନୀ ଏବଂ କାଶ୍ମୀର ଆତଙ୍କବାଦୀ ନିକଟ ଭବିଷ୍ୟତରେ ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଯୋଜନା କରୁଛନ୍ତି।

 ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତ-ପାକିସ୍ଥାନ ସୀମାର ୬ କିଲୋମିଟର ମଧ୍ୟରେ ପଡ଼ୁଥିବା ଗ୍ରାମଗୁଡିକରେ ଡ୍ରୋନ୍ କାର୍ଯ୍ୟକଳାପ ବୃଦ୍ଧି ପାଇଛି ଏବଂ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ , ହିରୋଇନ୍ ଚାଲାଣ ହେଉଛି ।

 ସେ ଆହୁରି ମଧ୍ୟ କହିଛନ୍ତି ଯେ କୃଷି ଆଇନ ବିରୋଧ ଯୋଗୁଁ ଦେଖାଦେଇଥିବା ଅସନ୍ତୋଷ ରାଜ୍ୟର ସାମାଜିକ-ଅର୍ଥନୈତିକ ଦୃଷ୍ଟି କୋଣରୁ ବିପଦ ସୃଷ୍ଟି କରୁଛି।

 ଏହି ସମୟ ମଧ୍ୟରେ ପଞ୍ଜାବରେ କଂଗ୍ରେସର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଶିରୋମଣି ଅକଳୀ ଦଳ ମଧ୍ୟ ସଂସଦର ଆଗାମୀ ମୌସୁମୀ ଅଧିବେଶନ ସମୟରେ ଏହି ଆଇନକୁ ରଦ୍ଦ କରିବାକୁ ଦାବି କରିଛନ୍ତି। ଏହି ଆଇନକୁ ରଦ୍ଦ କରିବା ପାଇଁ ଶିବସେନା, ଏନସିପି , ଡିଏମକେ, ଟିଏମସି ଏବଂ ବାହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି ଦାବି କରିଛନ୍ତି।

Related Posts