ବଦଳୁଛି ରାଜସ୍ଥାନ ସମୀକରଣ; ଗେହଲଟଙ୍କ ହାତ ଛାଡ଼ି ପାଇଲଟ କ୍ୟମ୍ପକୁ ଡେଉଁଛନ୍ତି ଜଣେ ପରେ ଜଣେ ବିଧାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନର ରାଜନୈତିକ ଗଣିତ ଧୀରେ ଧୀରେ ବଦଳିବାରେ ଲାଗିଛି। ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ଯୁଦ୍ଧ ଏବେ ରୋଚକ ମୋଡରେ ପହଞ୍ଚିଛି । ସେପଟେ ଗେହଲଟ ଉଭୟ ମୁଖ୍ୟମନ୍ତ୍ରୀ ଓ ଦଳର ଜାତୀୟ ଅଧ୍ୟକ୍ଷ ହେବାକୁ କୁଟନୀତି ଚଳାଇଥିବା ବେଳେ ଏବେ ଗେହଲଟଙ୍କ ସମର୍ଥିତ ବିଧାୟକମାନେ ଜଣଙ୍କ ପରେ ଜଣେ ପାଇଲଟଙ୍କୁ ସମର୍ଥନ କରିବା ଆରମ୍ଭ କରିଛନ୍ତି ।ଗତକାଲି ଗେହଲଟଙ୍କ କ୍ୟାମ୍ପର ବିଧାୟକ ଇନ୍ଦିରା ମିଣା, ମଦନ ପ୍ରଜାତି ଓ ଜିତେନ୍ଦ୍ର ସିଂ ପାଇଲଟଙ୍କୁ ଖୋଲା ଖୋଲି ସମର୍ଥନ କରି ବୟାନ ଦେଇଥିବା ବେଳେ ଆଜି ଚତୁର୍ଥ ବିଧାୟକ ଭାବେ ସନ୍ଦୀପ ଯାଦବ ମଧ୍ୟ ପାଇଲଟଙ୍କ କ୍ୟାମ୍ପକୁ ଡିଆଁ ମାରିଛନ୍ତି ।

ମଙ୍ଗଳବାର ସକାଳେ ଗେହଲଟ କ୍ୟାମ୍ପର ବିଧାୟକ ସନ୍ଦୀପ ଯାଦବ ଏକ ଭିଡିଓ ଜାରି କରିଛନ୍ତି । ଏଥିରେ ସେ କହୁଛନ୍ତି ଯେ, ମୁଁ କଂଗ୍ରେସର ହାଇକମାଣ୍ଡଙ୍କ ସହ ରହିଛି, ଏହାସହ ବିଧାୟକ ମଦନ ପ୍ରଜାପତି ଏକ ବୟାନରେ କହିଛନ୍ତି ଯେ, ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେଲେ ତାଙ୍କର କିଛି ଅସୁବିଧା ନାହିଁ । ଅନ୍ୟପଟେ ବିଧାୟିକା ଇନ୍ଦିରା ମିଣା ଅଭିଯୋଗ କରିଛନ୍ତି ଯେ, ପ୍ରଥମେ ଆମକୁ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ଡକାଯାଇଥିଲା । ଏହାପରେ କୁହାଗଲା କି ଶାନ୍ତି ଧାରିୱାଲଙ୍କ ଆବାସକୁ ଆସନ୍ତୁ । ସେଠାରେ ଆମଠାରୁ ଏକ କାଗଜରେ ଦସ୍ତଖତ ନିଆଗଲା । ହେଲେ କାଗଜରେ କଣ ଲେଖାଥିଲା ତାହା ପଢିବାକୁ ଆମକୁ ସୁଯୋଗ ଦିଆଗଲା ନାହିଁ । ହେଲେ ପାଇଲଟ ମୁଖ୍ୟମନ୍ତ୍ରୀ ହେଲେ ତାଙ୍କର କୌଣସି ଅଭିଯୋଗ ନଥିବା କଥା ସେ କହିଛନ୍ତି ।

ସୂଚନା ଅନୁସାରେ, ପ୍ରଥମେ ଗେହଲଟ ଗୋଷ୍ଠୀର ବିଧାୟକମାନେ ୩ ଟି ସର୍ତ୍ତ ରଖିଥିଲେ । ପ୍ରଥମ ସର୍ତ୍ତ ଥିଲା ଯେ, ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରା ନଯାଉ, ଦ୍ୱିତୀୟ ସର୍ତ୍ତ ଥିଲା କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ନସରିବା ପର୍ଯ୍ୟନ୍ତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ନେଇ କୌଣସି ନିଷ୍ପତ୍ତି ନ ନିଆଯାଉ ଏବଂ ତୃତୀୟ ସର୍ତ୍ତ ଭାବେ ଗେହଲଟ ଦଳର ଜାତୀୟ ଅଧ୍ୟକ୍ଷ ସହ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ରହିବାକୁ ଦିଆଯାଉ । ତେବେ ଏସବୁ ଭିତରେ ଏବେ ରାଜସ୍ଥାନର ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ଦଳରେ ବିଦ୍ରୋହ ଦେଖାଯିବା ପରେ ଗେହଲଟଙ୍କ ଉପରେ ଖପ୍ପା ହୋଇଛନ୍ତି ହାଇକମାଣ୍ଡ। ତାଙ୍କୁ ଦଳର ଅଧ୍ୟକ୍ଷ ନିର୍ବାଚନ ଲଢ଼ିବାକୁ ଦିଆ ନଯାଉ ଏପରି ଦାବି କରିଛନ୍ତି ସିବଲ୍ୟୁସି ସଦସ୍ୟ। ଏବେ ଗେହଲଟଙ୍କ ଗୋଷ୍ଠୀର ଜଣେ ପରେ ଜଣେ ବିଧାୟକଙ୍କ ପାଇଲଟଙ୍କୁ ସମର୍ଥନ ଘୋଷଣା ପରେ ଗେହଲଟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦୁଇ ଦୁଇଟି ପଦକୁ ଆଶା ରଖିଥିବା ଗେହଲଟଙ୍କ ହାତରୁ ଏବେ ଦୁଇଟି ଯାକ ପଦବୀ ହାତଛଡ଼ା ହୋଇଯିବ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

Related Posts