ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଏଣିକି ମେଜର ଧ୍ୟାନଚାନ୍ଦ ନାମରେ ନାମିତ ହେଲା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଚମତ୍କାର ପ୍ରଦର୍ଶନ କରିଛି । ପୁରୁଷ ହକି ଦଳ ଦୀର୍ଘ ଚାରି ଦଶନ୍ଧି ପରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଏଥି ସହିତ ଭାରତୀୟ ମହିଳା ହକି ଦଳ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି। ପ୍ରଥମ ଥର ପାଇଁ ମହିଳା ହକି ଟିମ୍ ସେମିଫାଇନାଲରେ ପହଞ୍ଚି ଥିଲା। କଡା ମୁକାବିଲା ଦେଇ ଦଳ ପରାସ୍ତ ହୋଇଛି। 

ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।  ବର୍ତ୍ତମାନ ଭାରତରେ ଦିଆଯାଉଥିବା ରାଜୀବ ଗାନ୍ଧୀ ‘ଖେଳରତ୍ନ’ ଆୱାର୍ଡର ନାଁ ହକିିର ଯାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ନାମରେ ନାମିତ ହୋଇଛି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି। 

 ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି ଲେଖିଛନ୍ତି,‘ମେଜର ଧ୍ୟାନଚାନ୍ଦ ଭାରତର ଅନ୍ୟତମ ପ୍ରମୁଖ କ୍ରୀଡ଼ାବିତ୍ ଯିଏକି ଭାରତ ପାଇଁ ସମ୍ମାନ ଓ ଗୌରବ ଆଣିଥିଲେ। ଦେଶକୁ ଗର୍ବିତ କରିଥିବା ମୁହୂର୍ତ୍ତ ମଧ୍ୟରେ ଅନେକ ଦେଶବାସୀଙ୍କ ଅନୁରୋଧ ମଧ୍ୟ ସାମ୍ନାକୁ ଆସିଛି ଯେ ଖେଳରତ୍ନ ପୁରସ୍କାରର ନାମ ମେଜର ଧ୍ୟାନଚାନ୍ଦ ଜୀଙ୍କୁ ସମର୍ପିତ କରାଯିବା ଉଚିତ । ଲୋକଙ୍କ ଭାବନାକୁ ବିଚାରକୁ ନେଇ ବର୍ତ୍ତମାନ ଏହାକୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ନାଁରେ ନାମିତ କରାଯାଉଛି । ’

ମେଜର ଧ୍ୟାନଚାନ୍ଦ ଭାରତୀୟ ହକି ଇତିହାସରେ ସର୍ବଶ୍ରେଷ୍ଠ ଖେଳାଳି ଭାବରେ ଜଣାଶୁଣା। ତେବେ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଛି ଯେ ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ଉଚିତ।  ମେଜର ଧ୍ୟାନଚାନ୍ଦଙ୍କୁ ଭାରତୀୟ ହକିର ଯାଦୁକର ବୋଲି ବିବେଚନା କରାଯାଏ। ସୂଚନା ଥାଉକି ଭାରତ ଏପର୍ଯ୍ୟନ୍ତ ଅଲିମ୍ପିକ୍ସରେ ୫ ଟି ପଦକ ଜିତିଛି । 

ମେଜର ଧ୍ୟାନଚାନ୍ଦ

ଭାରତୀୟ କ୍ରୀଡାରେ ଧ୍ୟାନଚାନ୍ଦ ଏକ ବେଶ ପରିଚିତ ନାମ । ସେ ତାଙ୍କ ୨୦ ବର୍ଷର ହକି ଜୀବନ ମଧ୍ୟରେ ୧ ହଜାରରୁ ଅଧିକ ଗୋଲ କରିଛନ୍ତି । ୨୯ ଅଗଷ୍ଟ ୧୯୦୫ ରେ ଆହ୍ଲାବାଦ ସହରରେ ଜନ୍ମଗ୍ରହଣ କରିଥିଲେ ମେଜର ଧ୍ୟାନଚାନ୍ଦ। ପ୍ରାଥମିକ ଶିକ୍ଷା ପାଇବା ପରେ ସେ ୧୯୨୨ ମସିହାରେ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ସେ ସୁବେଦାର ମେଜର ତିୱାରୀଙ୍କ ଦ୍ୱାରା ହକି ଖେଳିବାକୁ ଉତ୍ସାହିତ ହୋଇଥିଲେ ଏବଂ ତାଙ୍କ ତତ୍ତ୍ୱାବଧାନରେ ହକି ଖେଳିବା ଆରମ୍ଭ କଲେ । ତାଙ୍କ ଖେଳରେ ଉଲ୍ଲେଖନୀୟ ପ୍ରଦର୍ଶନ ହେତୁ ଧ୍ୟାନଚନ୍ଦ ୧୯୨୭  ମସିହାରେ ‘ଲାନ୍ସ ନାୟକ’ ଭାବରେ ନିଯୁକ୍ତ ହୋଇଥିଲେ । ୧୯୩୨ ମସିହାରେ ସେ ଭାରତୀୟ ହକି ଦଳର କ୍ୟାପଟେନ ଥିବାବେଳେ, ୧୯୩୬ ମସିହାରେ ନାୟକ ଏବଂ ସୁବେଦାରଙ୍କୁ ପଦୋନ୍ନତି ପାଇଥିଲେ। ସେ ତିନିଥର ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ହକି ଦଳର ଅଂଶ ଥିଲେ। 

୧୯୩୬  ବର୍ଲିନ ଅଲିମ୍ପିକରେ ସେ ଭାରତୀୟ ହକି ଦଳର ଅଧିନାୟକ ହୋଇଥିଲେ। ମେଜର ଧ୍ୟାନଚନ୍ଦ ୧୯୨୬ ରୁ ୧୯୪୮ ପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୪୦୦ ରୁ ଅଧିକ ଅନ୍ତର୍ଜାତୀୟ ଗୋଲ ଏବଂ ସମଗ୍ର କ୍ୟାରିୟରରେ ଏକ ହଜାର ଗୋଲ ସ୍କୋର କରିଥିଲେ। ୨୦୧୨ ମସିହାରୁ ଭାରତ ସରକାର ତାଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକମାତ୍ର ହକି ଖେଳାଳି ଯିଏକି ପଦ୍ମ ଭୂଷଣ ପୁରସ୍କାର ପାଇଛନ୍ତି। 

Related Posts