ଲଗାଣ ବର୍ଷାରେ ଫୁଲୁଛି ସାଲକୀ ନଦୀ, ଫୁଲବାଣୀ ସହରର ଅନେକ ଅଞ୍ଚଳ ବିଛିନ୍ନ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅବପାତର ରୂପ ନେବା ପରେ ରାଜ୍ୟ ତମାମ ବର୍ଷା ଲାଗି ରହିଛି । ଗତ କାଲି ଠାରୁ ଜାରି ବର୍ଷା ପ୍ରଭାବରେ ଅନେକ ନଦୀର ଜଳସ୍ତର ବଢୁଛି। ଫଳରେ ବନ୍ୟା ପରିସ୍ଥିତି ଉପୁଜିଲାଣି । କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ମଧ୍ୟ ବିଭିନ୍ନ ନଦୀ ଫୁଲୁଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳରେ ବର୍ଷା ଜାରି ରହିଥିବା ବେଳେ ସାଲକୀ ନଦୀରେ ବନ୍ୟା ଜଳ ଆସିଛି । ନଦୀରେ ବନ୍ୟା ଜଳ ଆସିବା ଫଳରେ ଫୁଲବାଣୀ ସହରର ଦାମିଙ୍ଗା, ଡ଼ାକପାଲ, ଆଦି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି  ।ଏହାସହ ଖଣ୍ଡିସାହୀ ନଦୀ ସ୍ଥିତ ଡ଼୍ୟାମ ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା   କ୍ଷୟକ୍ଷତିର ସୁଚନା ମିଳିପାରି ନାହିଁ ।

ଅନ୍ୟପକ୍ଷରେ ପାଣିପାଗ ବିଭାଗ ପକ୍ଷରୁ ଆଜି ୫ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି  । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୭ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି  । ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ ଓ କଟକ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖେର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଂଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  ।

Related Posts