ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରି ଛାତ୍ରଛାତ୍ରୀଙ୍କୁ ଯଦି ନୂତନ ପାଠ୍ୟପୁସ୍ତକ ପ୍ରଦାନ କରାଯାଏ ତେବେ ଚଳିତବର୍ଷ ଶିକ୍ଷାବର୍ଷ ଭିତରେ ସେମାନେ ଏହା ପାଇବା ନେଇ ସନ୍ଦେହ ଉପୁଜିଛି । କାରଣ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ପୁସ୍ତକ ଛାପିବାକୁ କର୍ତ୍ତୃପକ୍ଷଙ୍କୁ ୧୦ମାସ ସମୟ ଲାଗିଯାଇଥିଲା ।
ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିବା ମାଗଣା ପାଠ୍ୟପୁସ୍ତକରେ ଦୁଇ ହଜାରରୁ ଅଧିକ ତ୍ରୁଟି ନଜରକୁ ଆସିବାପରେ ସବୁ ସ୍ତରରୁ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରାଯାଉଛି । ଉଭୟ ରାଜ୍ୟ ଓ ଜାତୀୟ ସ୍ତରର ଗଣମାଧ୍ୟମ ଗୋଟିଏ ପରେ ଗୋଟିଏ ତ୍ରୁଟି ଦେଖାଇବାରେ ଲାଗିଛନ୍ତି । କେଉଁ ଶ୍ରେଣୀର ଇଂରାଜୀ ପୁସ୍ତକରେ ରଜଦୋଳି ଗୀତ ରହିଛି ତ ଆଉ କେଉଁ ଶ୍ରେଣୀର ପୁସ୍ତକରେ ହିନ୍ଦୀ ସିନେମାଗୀତ ସ୍ଥାନ ପାଇଛି । କେବଳ ସେତିକି ନୁହେଁ ନିଉଟନଙ୍କୁ ଜଣେ ପାଇଲଟ୍ ଭାବେ ଦର୍ଶାଯାଇଥିବାବେଳେ ଓଡିଶା ବିଧାନସଭାର ଚିତ୍ର ସ୍ଥାନରେ କର୍ଣ୍ଣାଟକ ବିଧାନସଭା ଚିତ୍ର ସ୍ଥାନ ପାଇଛି ।
ଏହାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଥିବାବେଳେ ଏକ ତଦନ୍ତ କମିଟି ବସାଇଥିଲେ । ତଦନ୍ତ ରିପୋର୍ଟ ପାଇବାପରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ଏବେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡିକୁ ଫେରାଇ ଆଣି ଛାତ୍ରଛାତ୍ରୀଙ୍କୁ ସଠିକ୍ ପୁସ୍ତକ ଦେବାପାଇଁ କୁହାଗଲାଣି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ଛାତ୍ରଛାତ୍ରୀଙ୍କୁ ଯେଉଁସବୁ ପୁସ୍ତକ ଯୋଗାଇ ଦିଆଯାଇଛି ସେଥିପାଇଁ ୩୮୦ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ୧୦ମାସ ସମୟ ଲାଗିଯାଇଛି । ଏଥିରେ ଟେଣ୍ଡର ଠାରୁ ଆରମ୍ଭକରି ପ୍ରସ୍ତୁତି, ଯାଞ୍ଚ ଓ ଛପେଇ ଆଦି ରହିଛି । ୫୦ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏକ କୋଟି ପୁସ୍ତକ ଛପାଯାଇଥିବାବେଳେ ଏଥିରେ ୫୮ଟି ପ୍ରକାରର ପାଠ୍ୟ ପୁସ୍ତକ ସ୍ଥାନ ପାଇଛି ।
ବର୍ତ୍ତମାନ ମାତ୍ର ୧୦ମାସ ଭିତରେ ୫୮ଟି ପ୍ରକାରର କୋଟିଏ ପୁସ୍ତକ ଛପେଇକୁ ନେଇ ପ୍ରଶ୍ନ ଉଠିଛି । କାରଣ ଏହା ପୂର୍ବ ଶିକ୍ଷାବର୍ଷରେ ୪୮ଟି ପ୍ରକାରର ପୁସ୍ତକ ପ୍ରସ୍ତୁତି ଛପେଇ କାର୍ଯ୍ୟ ସାରିବାକୁ ତିନିବର୍ଷ ଲାଗି ଯାଇଥିଲା । ପୁସ୍ତକ ପ୍ରସ୍ତୁତି, ବିଭିନ୍ନ ସ୍ତରରେ ଯାଞ୍ଚ, ଡିଟିପି ଓ ଛପେଇ ଆଦି ରହିଥିଲା । ୪୮ ପ୍ରକାରର ପୁସ୍ତକ ଛାପିବାପାଇଁ ଯଦି ୩ବର୍ଷ ସମୟ ଲାଗିଗଲା ତେବେ ୫୮ଟି ପ୍ରକାରର ପୁସ୍ତକ ଛାପିବା କାର୍ଯ୍ୟ କିଭଳି ୧୦ମାସ ଭିତରେ ସରିଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପାଠ୍ୟପୁସ୍ତକ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବେ ତନାଘନା କରିବାପରେ ପୁସ୍ତକ ପ୍ରକାଶନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଭିତରେ ଭାଳେଣି ପଡିଛି । ନୂତନ ପାଠ୍ୟ ପୁସ୍ତକ ଛପାଯିବ କି ନାହିଁ ଓ ଯଦି ଛପାଯିବ ତାହା କେବେସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ତାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ ପଡିଛନ୍ତି ।
