ପୁରୀ(ସତ୍ୟପାଠ ବ୍ୟୁରୋ): ସାରା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି । ଏପରିକି ହି କଟକଣା ଆସନ୍ତା ୩୧ ପର୍ୟ୍ୟନ୍ତ ଜାରି ରହିବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଅନେକ ଭକ୍ତ ନିରାଶ ହୋଇ ଫେରୁଥିବା ବେଳେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରୁ କେବଳ ପତିତପାବନଙ୍କୁ ଦର୍ଶନ କରିବାର ସୁଯୋଗ ପାଉଛନ୍ତି । ତେଣୁ ପୂର୍ବ ଭଳି କୋଭିଡ୍ ନିୟମ ମାନି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସାଧାରଣ ଭକ୍ତଙ୍କୁ ସୁଯୋଗ ଦିଆଯାଉ ବୋଲି ଭକ୍ତମାନେ ଅନୁରୋଧ କରିଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ଓ କିଛି ସେବାୟତ ବେଆଇନ ଭାବେ ଶ୍ରୀମନ୍ଦିର ବନ୍ଦ ରଖିଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି।
ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି ଛତିଶା ନିଯୋଗ ନୁହେଁ ବରଂ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବା ଆବଶ୍ୟକ ଥିଲା ବୋଲି ଶ୍ରୀଜଗନ୍ନାଥ ସେନା କହିଛି। ତେଣୁ ତୁରନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଉ ବୋଲି ସିଂହଦ୍ଵାର ସମ୍ମୁଖରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଥିବା ବେଳେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନଚେତ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବା ସହ ପୁରୀ ବନ୍ଦର ଡାକରା ଦିଆଯିବ ବୋଲି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି। ସେପଟେ ଶ୍ରୀମନ୍ଦିର ବନ୍ଦ ଥିବାରୁ ପୁରୀରେ ପର୍ୟ୍ୟଟକ ଓ ଭକ୍ତଙ୍କ ଆଗମନ କମିଯାଇଛି । ଫଳରେ ରିକ୍ସା, ଅଟୋ, ଉଠା ଦୋକାନୀଙ୍କ ସହ ସେବାୟତମାନେ ମଧ୍ୟ ବିଶେଷ ପ୍ରଭାବିତ ହେଉଛନ୍ତି।