ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ କରୋନା ସଂକ୍ରମଣ ବର୍ତ୍ତମାନ ଆୟତ୍ତ୍ୱ ହେବାରେ ଲାଗିଛି । କିନ୍ତୁ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ କଟକଣା ଜାରି କରିଥିଲେ । ଏପରିକି ସ୍କୁଲ କଲେଜକୁ ମଧ୍ୟ ବନ୍ଦ କରିଦେବାକୁ ନିଦେ୍ର୍ଦଶ ଦେଇଥିଲେ । ସେପଟେ କରୋନା ସଂକ୍ରମଣ ସ୍ଥିତି ଯୋଗୁଁ ସ୍କୁଲ ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା। ଆଜି ଏହାର ଶୁଣାଣି କରିଛନ୍ତି ହାଇକୋର୍ଟ। କରୋନା କଟକଣା ସହ କିଭଳି ସ୍କୁଲ ଖୋଲାଯିବ ସେ ନେଇ ଜଣାଇବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ୨ମାସ ସମୟ ଦେଇଛନ୍ତି। ୨ମାସ ମଧ୍ୟରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବା ସହ ହାଇକୋର୍ଟଙ୍କୁ ଜଣାଇବେ ରାଜ୍ୟ ସରକାର।

ଉଲ୍ଲେଖଯୋଗ୍ୟ, ରଞ୍ଜିତା ମହାପାତ୍ରଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ, କରୋନା କଟକଣା ନାଁରେ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା କେହି ଚିନ୍ତା କରୁ ନାହାନ୍ତି। ଦୁଇ ବର୍ଷ ହେବ କରୋନା ସଂକ୍ରମଣସ୍ଥିତି ଯୋଗୁଁ ଶିକ୍ଷାନୁଷ୍ଠାନ ବିଭିନ୍ନ ସମୟରେ ବନ୍ଦ ରଖାଯାଉଛି। ସ୍କୁଲ ବନ୍ଦ ରହୁଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢାରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି। ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲି ଯାଉଛି। ଏଭଳି ସ୍ଥିତିରେ ତୁରନ୍ତ କରୋନା କଟକଣା ଭିତରେ ସ୍କୁଲ ଖୋଲାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।