“ଦରମା ବଢ଼ାଇବାକୁ ସରକାରଙ୍କର ଔକାତ ନାହିଁ”; ଏଭଳି ମନ୍ତବ୍ୟ ଦେଇ ବିବାଦରେ ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିଜର ମନ୍ତବ୍ୟ ପାଇଁ ବିବାଦ ଘେରରେ ଫସିଛନ୍ତି ଛତିଶଗଡ଼ର ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ୍‌ ସିଂହଦେବ। ଯେଉଁଥିରେ ସେ ରାଜ୍ୟର ଆର୍ଥିକ ସ୍ଥିତି ବଖାଣିବାକୁ ଯାଇ ପ୍ରୟୋଗ କରିଥିବା ଶବ୍ଦ ବର୍ତ୍ତମାନ ତାଙ୍କ ପାଇଁ ବୁମେରାଂ ସାଜିଛି। ତେବେ ଦରମା ବୃଦ୍ଧି ଦାବି କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ଥିବା ସରକାରୀ କର୍ମଚାରୀଙ୍କ ସହ ଆଲୋଚନା ବେଳେ ଅଧିକ ଦରମା ପାଇଁ ସରକାରଙ୍କ ଔକାତ ନ ଥିବା କହିଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ୍‌ ସିଂହଦେବ। ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହେବାରେ ଲାଗିଛି।

ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ୪ ଲକ୍ଷରୁ ଅଧିକ କର୍ମଚାରୀ ଓ ଅଧିକାରୀ ଗତ ୨୨ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ସପ୍ତମ ବେତନ ଆୟୋଗ ସୁପାରିସ ମୁତାବିକ ସେମାନେ ଡିଏ ବୃଦ୍ଧି ଦାବି କରିଛନ୍ତି। ଗତ ଶନିବାର ଆନ୍ଦୋଳନକାରୀଙ୍କ ଏକ ପ୍ରତିନିଧି ମଣ୍ଡଳି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଏହି ସମୟରେ ଆଲୋଚନା ବେଳେ ପ୍ରତିନିଧି ମଣ୍ଡଳୀ ଡିଏ ବଢ଼ାଇବାକୁ ସରକାରଙ୍କୁ କହୁଥିବା ବେଳେ ସରକାରଙ୍କ ପାଖରେ ପଇସା ନାହିଁ ଦରମା କିପରି ବଢ଼ିବ ବୋଲି କହିଛନ୍ତି ମନ୍ତ୍ରୀ ସିଂହଦେବ।

ସେ କହିଛନ୍ତି, ମୁଁ ଆପଣଙ୍କ ଦାବିକୁ ହୃଦୟଙ୍ଗମ କରିପାରୁଛି। ସରକାର ପୂର୍ବରୁ ଆପଣଙ୍କୁ ଦରମା ଆକାରରେ ୪୦ ହଜାର କୋଟି ଟଙ୍କା ଦେଉଛନ୍ତି। ଏହାବାଦ ଅଧିକ ଦେବାକୁ ଆଉ ସରକାରଙ୍କର ଔକାତ ନାହିଁ। ଚାଷୀ ସରକାରଙ୍କ ପ୍ରଥମ ପ୍ରାଥମିକତା। ଏହାପରେ ସରକାରୀ କର୍ମଚାରୀ ଓ ଅନ୍ୟମାନେ ବୋଲି କହିଛନ୍ତି ମନ୍ତ୍ରୀ।

ଏହାର ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଊପାଧ୍ୟକ୍ଷ ତଥା ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ। ଏନେଇ ସେ ଟ୍ୱିଟରରେ ଲେଖିଛନ୍ତି, ‘କଂଗ୍ରେସ ସରକାରଙ୍କର ଜଣେ ମନ୍ତ୍ରୀ ନିଜେ କହୁଛନ୍ତି ଯେ ତାଙ୍କ ସରକାର ପାଖରେ ଟଙ୍କା ଦେବାର ଔକାତ ନାହିଁ। ଭୂପେଶ ବଘେଲଙ୍କ ଶାସନ ଛତିଶଗଡ଼କୁ ଦେବାଳିଆ କରିବା ସହ କରଜରେ ବୁଡ଼ାଇ ସାରିଲାଣି। କେବଳ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ନୁହେଁ, ନିଜ ଘୋଷଣାପତ୍ରରେ କରିଥିବା ପ୍ରତିଶ୍ରୁତି ପୂରଣ କରିବାକୁ ମଧ୍ୟ ଏହି ସରକାର ନିକଟରେ ଟଙ୍କା ନାହିଁ।’

ଏହାପରେ ଏହାର ଜବାବ୍ ଦେବାକୁ ରମଣ ସିଂହଙ୍କ ପୋଷ୍ଟକୁ ରି-ଟ୍ୱିଟ କରି ସିଂହଦେବ ଲେଖିଛନ୍ତି “ଶବ୍ଦ ଚୟନ କରିବାରେ ମୁଁ ବହୁତ ବଡ଼ ଭୁଲ କରିଦେଇଛି। ଏଥିନିମନ୍ତେ କ୍ଷମା ପ୍ରାର୍ଥନା କରୁଛି। କିନ୍ତୁ କେନ୍ଦ୍ର ସରକାରଙ୍କ ଆର୍ଥିକ ଅସହଯୋଗ ମନୋଭାବ ହେତୁ ରାଜ୍ୟ ସରକାର ଅଧିକ ଟଙ୍କା ଖର୍ଚ୍ଚ କରିପାରୁ ନାହାନ୍ତି।” ଏଥିସହ ସେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ଏକାଥରେ ଛତିଶଗଡ଼କୁ ୨୦ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁର କରୁନାହିଁ। ତେଣୁ ରାଜ୍ୟବାସୀଙ୍କ ହିତ ନିମନ୍ତେ କେନ୍ଦ୍ର ଅଧିକ ରାଶି ମଞ୍ଜୁର କରିବା ଉଚିତ ବୋଲି ସେ ଟ୍ୱିଟ କରିଛନ୍ତି।

Related Posts